
ନୂଆଦିଲ୍ଲୀ: ଦେଶରେ ଆସନ୍ତା ତିନି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ଏହି ଦାବି କରାଯାଇଛି। ୨୦୨୫ସୁଦ୍ଧା କର୍କଟ ରୋଗୀଙ୍କ ସଂଖ୍ୟା ୧୨.୭ପ୍ରତିଶତ ବୃଦ୍ଧି ହେବ ବୋଲି ଆଇସିଏମଆର ପୂର୍ବାନୁମାନ କରିଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। କର୍କଟ ରୋଗୀଙ୍କ ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଏହା ଦାବି କରିଛନ୍ତି।
ଆଇସିଏମ୍ଆର ଅନୁଯାୟୀ, ୨୦୨୦ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଆନୁମାନିକ କର୍କଟ ରୋଗୀଙ୍କ ସଂଖ୍ୟା ୧୩.୯୨ଲକ୍ଷ ଥିବା ବେଳେ ୨୦୨୧ରେ ଏହା ୧୪.୨୬ଲକ୍ଷକୁ ବୃଦ୍ଧି ପାଇଥିଲା। ୨୦୨୨ରେ ଏହା ୧୪.୬୧ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ଆଗାମୀ ବର୍ଷରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି।
ବିଶେଷଜ୍ଞଙ୍କ ଅନୁଯାୟୀ ଦେଶରେ କେବଳ ହୃଦ୍ ରୋଗୀ ଏବଂ ଶ୍ବାସକ୍ରିୟାଜନିତ ରୋଗୀଙ୍କ ସଂଖ୍ୟା ନୁହେଁ, କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ବୟସ, ଜୀବନଶୈଳୀରେ ପରିବର୍ତ୍ତନ, ବ୍ୟାୟାମର ଅଭାବ ଏବଂ ପୁଷ୍ଟିକର ଖାଦ୍ୟ ସହିତ ଅନେକ କାରଣ ଏଥିପାଇଁ ଦାୟୀ। ଅନେକ ଥର କର୍କଟ ରୋଗର ଲକ୍ଷଣ ବିଷୟରେ ଲୋକଙ୍କ ପାଖରେ ସମ୍ପୂର୍ଣ୍ଣ ସୂଚନା ନଥାଏ, ଯେଉଁ କାରଣରୁ ଏହି ରୋଗ ଠିକ୍ ସମୟରେ ଚିହ୍ନଟ ହୋଇନଥାଏ ଏବଂ ଚିକିତ୍ସା ମଧ୍ୟ ବିଳମ୍ବ ହୋଇଥାଏ। ପ୍ରାରମ୍ଭିକ ଚିକିତ୍ସାର ଅଭାବ ହେତୁ କର୍କଟ ବୃଦ୍ଧି ପାଉଛି। ସେଥିପାଇଁ ଲୋକଙ୍କ ମଧ୍ୟରେ କର୍କଟ ରୋଗ ବିଷୟରେ ସଚେତନତା ବିସ୍ତାର କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।