ମୃତବ୍ୟକ୍ତିଙ୍କ ଶବରୁ ଟଙ୍କା ଶୋଷୁଛି ଜଙ୍ଗଲ ବିଭାଗର କେନ୍ଦୁ ପତ୍ର ଶାଖା..!

add-all

ଚେଇଁ ସୋଇଛି ରାଜ୍ୟ ସରକାର…

ମାଲକାନଗିରି/କୁଡୁମୁଲୁଗୁମ୍ମା : ଦୁର୍ନୀତି ମୁକ୍ତ ସମାଜ ପରିକଳ୍ପନା ସମୟରେ ଓଡ଼ିଶା ଭଳି ଏକ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଏତେ ସୁଦୃଢ଼ ଯେ , ବିଭିନ୍ନ ବିଭାଗ ନିମନ୍ତେ ବିଭାଗୀୟ ସଚିବ ନ୍ୟସ୍ତ ଥିବା ସତ୍ତ୍ଵେ 5T ର ଆବିର୍ଭାବ ଏଠାରେ ହୋଇପାରେ । ମୁଖ୍ୟ ଶାସନ ସଚିବ ତଥା ବିଭାଗୀୟ ସଚିବଙ୍କ ବ୍ୟତିରେକ ସ୍ୱତନ୍ତ୍ରଭାବେ 5T ସଚିବ ମଧ୍ୟ ଆମ ରାଜ୍ୟରେ ନିଯୁକ୍ତ ହୋଇପାରନ୍ତି । ଆଭିମୁଖ୍ୟ ପଞ୍ଚସୁତ୍ରୀ ବିଶିଷ୍ଟ ଏହି ‘T’ ମାନେ ହିଁ ସ୍ପଷ୍ଟ ବୟାନ କରନ୍ତି ଯେ, Transparency:ସ୍ବଚ୍ଛତା, Technology:ପ୍ରଯୁକ୍ତିବିଦ୍ୟା, Team Work:ଦଳଗତ କାର୍ଯ୍ୟ , Time:ସମୟ ଓ Transformation:ପରିବର୍ତ୍ତନ । କେବଳ 5T ରେ ସୀମିତ ରହିନାହିଁ ରାଜ୍ୟର ବିକାଶର ଚିତ୍ର ଏହାକୁ ପୁନଶ୍ଚ ରୁଦ୍ଧିମନ୍ତ କରିଛି “ମୋ ସରକାର” , ଯେଉଁ ଜରିଆରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି , “ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ , ଲୋକଙ୍କ ପଇସାରେ , ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି। ସମ୍ପୃକ୍ତ ଅନୁଷ୍ଠାନଟି ଲୋକଙ୍କ ସେବା ପାଇଁ ଅଛି । ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି ।” ଶୁଣିବା ବେଳେ ତ ବେଶ୍ ଶ୍ରୁତି ମଧୁର ଲାଗୁଛି ‘5T’ ଓ ‘ମୋ ସରକାର’ ଉଭୟ ଯୋଜନା କିନ୍ତୁ ପ୍ରକୃତରେ ଏହାର ଅନୂପାଳନ କିଭଳି ହେଉଛି ତାହା ଯେତେ ମାତ୍ରାରେ ଚିନ୍ତା ଜନକ ତା’ଠାରୁ ଖୁବ୍ ଅଧିକ ଭାବେ ପ୍ରତିକ୍ରିୟାଶୀଳ। ଯେଉଁ ରାଜ୍ୟରେ ତଥା ଯେଉଁ ସରକାରଙ୍କ ଶାସନ ବ୍ୟବସ୍ଥାରେ ମୃତ ବ୍ୟକ୍ତିଙ୍କ ବାବଦରେ ମିଳୁଥିବା ସରକାରୀ ଅନୁଦାନର ବାଟମାରଣା ହୋଇପାରେ ସେଭଳି ପରିପ୍ରେକ୍ଷୀରେ , ଜୀବିତ ବ୍ୟକ୍ତିଙ୍କ ପରିସ୍ଥିତି ନିଶ୍ଚିତ ଭାବେ ଆତ୍ମସମୀକ୍ଷାର ବିଷୟ । ଏଠାରେ ସୂଚନା ଥାଉକି
ଏଭଳି ଏକ ଅମାନବୀୟ ସରକାରୀ ଲୁଟ୍ ର ସଙ୍ଗୀନ ଆରୋପ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତତ୍କାଳୀନ କୁଡ଼ୁମୁଲୁଗୁମ୍ମା ବ୍ଲକ୍ ନିକଟସ୍ଥ କେନ୍ଦୁ ପତ୍ର ବିଭାଗରେ ଯାହା କି ବାଲିମେଳା ବନାଞ୍ଚଳ ଅଧୀନରେ ରହି କାମ କରି ଆସୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରକାରୀ ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳୀ ମାନଙ୍କ ସ୍ଵାଭାବିକ ମୃତ୍ୟୁ ଅବା ଦୁର୍ଘଟଣା ଜନିତ ମୃତ୍ୟୁ ପରେ ପରିବାର ବର୍ଗଙ୍କ ମଧ୍ୟରୁ ମନୋନୀତ ବ୍ୟକ୍ତି ହିଁ ପ୍ରକୃତ ହିତାଧିକାରୀ ହେବେ ଯିଏ ସରକାରଙ୍କ ତରଫରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପାଇବାରେ ସକ୍ଷମ ହେବେ । କିନ୍ତୁ ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଚଢ଼େଇଗୁଡ଼ା, ବୁଟିଗୁଡ଼ା କଲୋନୀ , କୁଡୁମୁଲୁଗୁମ୍ମା , ଜାମୁଗୁଡ଼ା ତଥା ପୁଜାରୀଗୁଡ଼ା ଭଳି ଅନେକ ଆଦିବାସୀ ପ୍ରବଣ ଅଞ୍ଚଳରୁ ଜନ ସାଧାରଣଙ୍କ ଅସଚେତନତା ଏବଂ ଶିକ୍ଷାଭାବର ଭରପୁର ଫାଇଦା ଉଠାଇବା ଦିଗରେ ସକ୍ଷମ ହୋଇଛନ୍ତି ଜଙ୍ଗଲ ବିଭାଗର ମହିଳା କର୍ମଚାରୀ ପଦ୍ମିନୀ ପଟ୍ଟନାୟକ । ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ସର୍ବନିମ୍ନ ୩୦,୦୦୦/- ଟଙ୍କା ଠାରୁ ଆରମ୍ଭ କରି ସର୍ବାଧିକ ୪୦,୦୦୦/- ଟଙ୍କା ପର୍ଯ୍ୟନ୍ତ ପଇସା ଅସୁଲ କରିଛନ୍ତି । ଯେଉଁ ବାବଦରେ ବୁଦ୍ରୀ ଡ଼ଲା, ସମାରୀ ଦୋରା, ଲଖନ ବଡନାୟକ, ମୋହନ ସିଂ ଙ୍କ ଭଳି ହିତାଧିକାରୀମାନେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ।
ତେବେ ହିତାଧିକାରୀଙ୍କ ଠାରୁ ହୋଇଥିବା ଏହି ଲୁଟ୍ ଘଟଣାର ସତ୍ୟାସତ୍ୟ ଖୋଜିବାକୁ ଆମ ନିଃସର୍ତ୍ତ ପ୍ରତିନିଧି ପହଞ୍ଚିଥିଲେ ସମ୍ପୃକ୍ତ ମହିଳା କର୍ମଚାରୀ ପଦ୍ମିନୀ ପଟ୍ଟନାୟକଙ୍କ ନିକଟରେ । ଆମ ପ୍ରତିନିଧି ସେଠାରେ ପହଞ୍ଚିବା ପୂର୍ବରୁ ହିଁ କିଭଳି ନାଟକୀୟ ଢଙ୍ଗରେ ଉକ୍ତ ମହିଳା କର୍ମଚାରୀ ଜଣକ ହିତାଧିକାରୀ ସମାରି ଦୋରା ଓ ତାଙ୍କ ପୁଅ କୃଷ୍ଣ ଦୋରାଙ୍କୁ ଅଫିସ୍ ପରିସରକୁ ଡ଼ାକି ମିଥ୍ୟା ପ୍ରମାଣ ତିଆରି ନିମନ୍ତେ ସେମାନଙ୍କୁ ମିଛ କହିବାକୁ ବାଧ୍ୟ କରିଥିଲେ, ଏ ତମାମ ଘଟଣାର ଠୋସ ପ୍ରମାଣ ମଧ୍ୟ ହାତରେ ଲାଗିଥିଲା । ମିଳିଥିବା ଭିଡ଼ିଓ ଭିଜୁଆଲରେ ସମ୍ପୃକ୍ତ ମହିଳା କର୍ମଚାରୀ ବାରମ୍ବାର ହିତାଧିକାରୀଙ୍କୁ ପଚାରିଛନ୍ତି ଯେ କୌଣସି ଗଣମାଧ୍ୟମର ପ୍ରତିନିଧି କିଛି ପଚାରି ନାହାନ୍ତି ତ..? ତୁମେ କାହାକୁ କିଛି କହି ନାହଁ ତ..? ଇତ୍ୟାଦି…
ତେବେ ଆମ ପ୍ରତିନିଧିଙ୍କୁ ସମୃକ୍ତ ବନବିଭାଗ କର୍ମଚାରୀ ପ୍ରଥମେ ସଫେଇ ଦେଇ କହିଲେ ଯେ ସେମାନଙ୍କ ତରଫରୁ କାହାଠାରୁ କୌଣସି ଆର୍ଥିକ ଶୋଷଣ କରାଯାଇ ନାହିଁ । କିନ୍ତୁ ପରେ ପରେ ନିଜେ ସ୍ଵୀକାର ମଧ୍ୟ କରିଲେ ଯେ ସେମାନଙ୍କ ଠାରୁ ପଇସା ଅଣାଯାଇଥିଲା ଯେଉଁଥିରେ ତାଙ୍କ ସମେତ ସମ୍ପୂର୍ଣ୍ଣ ବିଭାଗର ଅନେକ ଅଧିକାରୀଙ୍କ ପକେଟକୁ ମଧ୍ୟ କିଛି କିଛି ଅଂଶ ପହଞ୍ଚିଛି । ଏହି କଥା କହିବା ସମୟରେ କିନ୍ତୁ ଅଧିକାରୀ ଜଣକ ବାରମ୍ବାର ରେକର୍ଡିଂ ହେଉନାହିଁ ତ ବୋଲି ଆମ ପ୍ରତିନିଧି ଙ୍କୁ ବାରମ୍ବାର ଗୁରୁତ୍ୱାରୋପ କରିଥିଲେ ଓ ଅନୁରୋଧ କରୁଥିଲେ ରେକଡ଼ିଙ୍ଗ ନକରିବା ସକାଶେ । ଏହା ଛଡ଼ା ସେ କହିଥିଲେ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ତରଫରୁ ସବୁ ସ୍ଥାନରେ ମୁନସୀ ନିୟୋଜିତ ନ ହୋଇଥିବାରୁ ବେସରକାରୀ ଭାବେ ରହିଥିବା ବ୍ୟକ୍ତି ମାନଙ୍କ ଶୋଷଣ ଓ ଦୌରତ୍ମ୍ୟ ଖୁବ୍ ପରିମାଣରେ ରହିଥିବା ମଧ୍ୟ ସେ ଆମ ପ୍ରତିନିଧି ଙ୍କୁ କହିଥିଲେ । କେତେକ ସ୍ଥଳେ ହିତାଧିକାରୀ ମାନଙ୍କ ଆବେଦନ ପତ୍ରକୁ ଉପରିସ୍ଥ ଅଧିକାରୀ ମାନେ ଜାଣି ଶୁଣି ଫେରାଇ ଦେଉଥିଲେ ଯାହାଫଳରେ ଉକ୍ତ ହିତାଧିକାରୀଙ୍କ ଠାରୁ ପଇସା ଆଣି ସେହି ବାବୁ ମାନଙ୍କୁ ସନ୍ତୁଷ୍ଟ କରିବାକୁ ଦେବାକୁ ପଡ଼ୁଥିବା ସେ କହିଛନ୍ତି । ବର୍ତ୍ତମାନ୍ ପ୍ରଶ୍ନ ଉଠୁଛି ହିତାଧିକାରୀଙ୍କ ଆବେଦନ ପତ୍ରକୁ ଖାରଜ କରି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ କିଭଳି ସେମାନଙ୍କୁ ଯୋଗ୍ୟ କରି ଦିଆଗଲା ? ଅଯୋଗ୍ୟ ହିତାଧିକାରୀ ପଇସା ଦେଇ ହିତାଧିକାରୀ ତାଲିକାରେ ଗଣା ହୋଇ ପାରିବେ କି ? ମହିଳା କର୍ମଚାରୀ ଦେଇଥିବା ସଫେଇ ମୁତାବକ ସେହି ଶୋଷଣର ଶୃଙ୍ଖଳରେ ଆଉ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାହାର ଖୁଲାସା ହେବ କେବେ ? ଏହାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ, ଖୋଦ୍ ଗଣତନ୍ତ୍ରର ପ୍ରମୁଖ ତିନି ସ୍ତମ୍ଭ ସରକାର , ପ୍ରଶାସନ ଓ ନ୍ୟାୟିକ ବ୍ୟବସ୍ଥା କରୋଡରେ ରହି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ କୁ ଏତେ ଡରୁଛନ୍ତି କାହିଁକି ? ଏବଂ ଡ଼ରୁଥିବା ବ୍ୟକ୍ତି କିଭଳି ନିରୀହ ସାଧାରଣ ଆଦିବାସୀଙ୍କ ଟଙ୍କା ଲୁଟ୍ କଥା ଚିନ୍ତା କରିପାରନ୍ତି… ?
ଦେଖିବାକୁ ଅପେକ୍ଷା ରହିଲା ଯେ ସାଧାରଣ ନିଲମ୍ବନ ଜରିଆରେ ତଦନ୍ତର ଦିଶାକୁ ସରକାର ଓ ପ୍ରଶାସନଙ୍କ ଦ୍ଵାରା କରାୟତ କରି ତଦନ୍ତର ନାଲି ଫିତା ତଳେ ହିତାଧିକାରୀଙ୍କ ପ୍ରାପ୍ୟ ଲୁଚିଯାଉଛି ନା ସମ୍ପୂର୍ଣ୍ଣ ଘଟଣାର ଖୋଳତାଡ ସହ ହିତାଧିକାରୀମାନେ ସେମାନଙ୍କ ଅଧିକାର ମଧ୍ୟ ଫେରି ପାଉଛନ୍ତି ତାହା ସମୟ ସଫେକ୍ଷ

ad-week
Leave A Reply

Your email address will not be published.