ବିଏସ୍‌ ୟେଦ୍ୟୁରପ୍ପାଙ୍କୁ ଘେରିଗଲେ ବିଜେପି କର୍ମୀ, ବାଧ୍ୟ ହୋଇ ରାଲି ବାତିଲ କଲେ…

add-all

ବେଙ୍ଗାଲୁରୁ : ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଆଜି ଗୋଟିଏ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ ବିଜେପି ପାଇଁ ପ୍ରଚାର କରିବାକୁ ଯାଉଥିବା ବେଳେ ତାଙ୍କୁ ନିଜ ଦଳର କର୍ମୀ ଓ ନେତାମାନେ ବିରୋଧ କରିଛନ୍ତି। ବିଜେପିର ଶତାଧିକ କର୍ମୀ ତାଙ୍କୁ ଘେରାଉ କରିବାରୁ ସେ ବାଧ୍ୟ ହୋଇ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ବାତିଲ କରି ଘରକୁ ଫେରି ଯାଇଛନ୍ତି। ଚିକ୍କାମାଙ୍ଗାଲୁରୁ ଜିଲ୍ଲାରେ ଏପରି ଘଟଣା ଘଟିଛି।
କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବିୱାଇ ବିଜୟେନ୍ଦ୍ର ଶିକାରିପୁରାରୁ ଲଢ଼ିବେ ବୋଲି ନିଜେ ୟେଦ୍ୟୁରପ୍ପା ଘୋଷଣା କରିଥିଲେ। ବିଜୟେନ୍ଦ୍ର ହେଉଛନ୍ତି ୟେଦ୍ୟୁରପ୍ପାଙ୍କ ପୁଅ। ତେବେ ପୁଅ ପାଇଁ ଲବି କରୁଥିବା ୟେଦ୍ୟୁରପ୍ପାଙ୍କ ଏପରି ଘୋଷଣାକୁ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି ଅଗ୍ରାହ୍ୟ କରି ଦେଇଥିଲେ। ତଥାପି ୟେଦ୍ୟୁରପ୍ପା ନିଜ ଘୋଷଣାରେ ଅଟଳ ରହିବାକୁ ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ।
ଆଜି ବିଜେପି ବନାମ ବିଜେପି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ବିଜେପିର ବିଜୟ ସଂକଳ୍ପ ଯାତ୍ରାରେ ଯୋଗଦେବାକୁ ଆଜି ୟେଦ୍ୟୁରପ୍ପା ମୁଦିଗେରେ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ। ଏତିକି ବେଳେ ସିଟି ରବିଙ୍କ ଗୋଷ୍ଠୀର ଶତାଧିକ ବିଜେପି କର୍ମୀ ଓ ସମର୍ଥକମାନେ ୟେଦ୍ୟୁରପ୍ପାଙ୍କୁ ଘେରି ଯାଇଥିଲେ।
ସେମାନେ ତାଙ୍କ କାରକୁ ଘେରି ଯାଇ ମୁଦିଗେରେରରୁ ଯେମିତି ବିଧାୟକ ଏମପି କୁମାରାସ୍ୱାମୀଙ୍କୁ ବିଜେପି ଟିକେଟ ନ ଦେବ, ସେନେଇ ଦାବି କରିଥିଲେ। ଏହାକୁ ଦେଖି ୟେଦ୍ୟୁରପ୍ପା ଅସନ୍ତୋଷ ପ୍ରକାଶ କରିବା ସହ ରାଗରେ ଯାତ୍ରାରେ ଭାଗ ନ ନେଇ ସେଠାରୁ ଚାଲି ଯାଇଥିଲେ। ରାସ୍ତାର ଗୋଟିଏ ପାର୍ଶ୍ୱରେ ଏପରି ଘଟଣା ଘଟିଥିବା ବେଳେ ଅନ୍ୟ ପାର୍ଶ୍ୱରେ ସିଟି ରବି ନିଜ ସମର୍ଥକମାନଙ୍କ ସହ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.