ଅବମାନନା ମାମଲାରେ ବିବେକ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ସମାଜସେବୀ ଗୌତମ ନବଲଖାଙ୍କ ଟ୍ରାନଜିଟ୍‌ ରିମାଣ୍ଡକୁ ରଦ୍ଦ କରିଥିବା ଜଷ୍ଟିସ୍‌ ଏସ୍‌ ମୁରଲୀଧରଙ୍କୁ ନେଇ ୨୦୧୮ରେ ପୋଷ୍ଟ କରିଥିବା ଏକ ଟୁଇଟ୍‌ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଆସନ୍ତା ଏପ୍ରିଲ ୧୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଓ ଜଷ୍ଟିସ ତଲଓ୍ଵନ୍ତ ସିଂହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଅଗ୍ନିହୋତ୍ରୀଙ୍କୁ ଏପ୍ରିଲ ୧୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୬ ତାରିଖରେ ଅଗ୍ନିହୋତ୍ରୀଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଆଦେଶ ଉପରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି।
ଗତ ଡିସେମ୍ବର ୬ ତାରିଖରେ ହୋଇଥିବା ଶୁଣାଣିରେ ଅଗ୍ନିହୋତ୍ରୀ ୨୦୧୮ରେ ପୋଷ୍ଟ କରିଥିବା ଟୁଇଟ୍‌ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ତେବେ, ପରବର୍ତ୍ତୀ ଶୁଣାଣିରେ ଅଗ୍ନିହୋତ୍ରୀଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।
ଅଗ୍ନିହୋତ୍ରୀ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର ନିର୍ଦ୍ଦେଶକ ଏସ୍‌ ଗୁରୁମୂର୍ତ୍ତିଙ୍କ ବିରୋଧରେ ଅଦାଲତ ନିଜ ତରଫରୁ ଏହି ଅବମାନନା ମାମଲା ଆରମ୍ଭ କରିଥିଲେ।
ଅଗ୍ନିହୋତ୍ରୀଙ୍କ ଓକିଲ ଦର୍ଶାଇଥିଲେ ଯେ ଅଗ୍ନିହୋତ୍ରୀ ଜ୍ୱରରେ ପୀଡ଼ିତ ଥିବାରୁ ସେ କୋର୍ଟରେ ହାଜର ହୋଇପାରିବେ ନାହିଁ। ଏହାପରେ ଖଣ୍ଡପୀଠ ତାଙ୍କୁ ପରବର୍ତ୍ତୀ ତାରିଖରେ ଶାରୀରିକ ଭାବେ ହାଜର ହେବାକୁ କହିଥିଲେ।
ଅଗ୍ନିହୋତ୍ରୀଙ୍କ ଓକିଲ ସତ୍ୟପାଠ ଜରିଆରେ ଦର୍ଶାଇଥିଲେ ଯେ ତାଙ୍କ କ୍ଲାଏଣ୍ଟ ଏହି ଟୁଇଟ୍‌ ଡିଲିଟ୍‌ କରିଛନ୍ତି। ଅନ୍ୟପକ୍ଷରେ ଆମିକସ୍‌ କ୍ୟୁରି ଏହାକୁ ବିରୋଧ କରି କହିଛନ୍ତି ଯେ ଏହି ଟ୍ଵିଟ୍‌କୁ ସେ ନୁହେଁ ବରଂ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ଵିଟର୍‌ ଡିଲିଟ୍‌ କରିଛି।
ଖଣ୍ଡପୀଠ କହିଥିଲେ, ଆମେ ତାଙ୍କୁ ଉପସ୍ଥିତ ରହିବାକୁ କହୁଛୁ କାରଣ ସେ ଅସନ୍ତୁଷ୍ଟ ଅଛନ୍ତି। ଯଦି ତାଙ୍କୁ ବ୍ୟକ୍ତିଗତ ଭାବରେ ଅନୁତାପ ପ୍ରକାଶ କରିବାକୁ ପଡିବ ତେବେ ତାଙ୍କର କିଛି ଅସୁବିଧା ଅଛି କି? ସର୍ବଦା ସତ୍ୟପାଠ ମାଧ୍ୟମରେ ଅନୁତାପ ପ୍ରକାଶ କରାଯାଇପାରିବ ନାହିଁ।

ad-week
Leave A Reply

Your email address will not be published.