ୟୁକ୍ରେନ୍‌ରେ ରୁଷର ଡ୍ରୋନ୍‌ ମାଡ଼: ଜଣେ ମୃତ, ୩୨ ଆହତ

add-all

କିଭ୍ : ୟୁକ୍ରେନ୍‌ର ଝାପୋରିଝଝିଅର ଅଞ୍ଚଳରେ ଗତକାଲି ରାତିସାରା ରୁଷ ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଗୋଟିଏ ଅଟ୍ଟାଳିକା ଧ୍ୱଂଶ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ସେହିପରି ଆକ୍ରମଣରେ ୩୩ ଜଣ ଆହତ ହୋଇଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଦାୟ ଦେବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣରେ ଗୋଟିଏ କୋଠା ଭୁଶୁଡ଼ିବା ପରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଟ୍ୱିଟ୍‌ କରି କହିଛନ୍ତି ଯେ, ବର୍ତ୍ତମାନ ସାଧାରଣ ଲୋକ ଏବଂ ଶିଶୁ ରହୁଥିବା ଆବାସିକ ଅଞ୍ଚଳ ଉପରେ ଗୁଳି ଚଳାଯାଉଛି। ୟୁକ୍ରେନ୍ ହେଉକି ବିଶ୍ୱର କୌଣସି ସ୍ଥାନରେ ଏମିତି ହେବା ଉଚିତ ନୁହଁ। ରୁଷର ଆତଙ୍କବାଦ କାର୍ଯ୍ୟକୁ ତୁରନ୍ତ ବିଲୋପ କରିବା ପାଇଁ ସେ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି।
ଅନ୍ୟପଟେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ବନ୍ଦ କରିବାକୁ ଚାଇନା ତରଫରୁ ପ୍ରସ୍ତାବ ଦିଆଯାଇଛି। ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ରୁଷ୍ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ତରଫରୁ ମିଳିତ ଭାବେ ଜାରି ବିବୃତିରେ ଯୁଦ୍ଧ ବନ୍ଦ ପାଇଁ ବାର୍ତ୍ତାଳାପକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ବାର୍ତ୍ତାଳାପ ଦ୍ୱାରା ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବନ୍ଦ କରାଯାଇ ପାରିବ ବୋଲି ବିବୃତିରେ ଦର୍ଶାଯାଇଛି।
ୟୁକ୍ରେନ୍‌ ସହ ଯୁଦ୍ଧ ବନ୍ଦ କରିବାକୁ ଚାଇନା ତରଫରୁ ଯେଉଁ ଗଠନମୂଳକ ପରାମର୍ଶ ପ୍ରଦାନ କରାଯାଇଛି ତାହାକୁ ରୁଷ୍‌ ତରଫରୁ ସ୍ୱାଗତ କରାଯାଇଥିଲା। ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ ହୋଇପାରିବ, ତେବେ ଏହି ଯୁଦ୍ଧରୁ ଅନ୍ୟ କୌଣସି ଦେଶ ବା ଗୋଷ୍ଠୀ ଯେପରି କୌଣସି ଅନୁଚିତ୍‌ ଲାଭ ଉଠାଇ ନ ପାରିବେ ସେଥିପ୍ରତି ଦୃଷ୍ଟି ରଖାଯିବା ଉଚିତ୍‌ ବୋଲି ମିଳିତ ବିବୃତରେ ଉଲ୍ଲେଖ କରାଯାଇଥିଲା। ତେବେ ଚାଇନା ରାଷ୍ଟ୍ରପତିଙ୍କ ପରାମର୍ଶ ସତ୍ତ୍ୱେ ରୁଷ ଆକ୍ରମଣ ଜାରି ରଖିଛି।

ad-week
Leave A Reply

Your email address will not be published.