ଖଡ଼ିଆଳରୁ ନିର୍ବାଚନ ଲଢ଼ିବେ ଶ୍ରୀକାନ୍ତ ଚାଟାର୍ଜୀ

add-all

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ଆଗାମୀ ନିର୍ବାଚନରେ ଲଢ଼ିବେ ବୋଲି ଅବସରପ୍ରାପ୍ତ ଆୟକର କମିସନର ଶ୍ରୀକାନ୍ତ ଚାଟାର୍ଜୀ ଘୋଷଣା କରିଛନ୍ତି। ଏ ନେଇ ଅଗ୍ରସେନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି।

ଏହି ଅବସରରେ ଶ୍ରୀ ଚାଟାର୍ଜୀ କହିଲେ, ନିର୍ବାଚନ କଳୁଷିତ ହୋଇଯାଇଛି। ମଦ, ମାଂସ ଏବଂ ଟଙ୍କା ବଳରେ ଭୋଟରଙ୍କୁ ପ୍ରଲୋଭିତ କରାଯାଉଛି। ଯେଉଁ ପରିମାଣରେ ଅଞ୍ଚଳର ବିକାଶ ହେବା କଥା ସେହି ପରିମାଣରେ ବିକାଶ ହୋଇ ପାରିନାହିଁ। ଟଙ୍କା ବାଣ୍ଟି ଭୋଟ୍‌ ହାତେଇବା ଯେତେ ଅପରାଧ, ଭୋଟର ଟଙ୍କା ଗ୍ରହଣ କରିବା ସମାନ ଅପରାଧ। ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଏଣୁ ଏହାକୁ ପରିବର୍ତ୍ତନ କରି ଅଞ୍ଚଳର ବିକାଶ ପାଇଁ ବଦ୍ଧପରିକର ହୋଇ ନିର୍ବାଚନ ଲଢ଼ିବା ପାଇଁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ କୌଣସି ରାଜନୈତିକ ଦଳ ପକ୍ଷରୁ ଯଦି ପ୍ରାର୍ଥୀ ହେବା ପାଇଁ କୁହାଯାଏ, ତେବେ ନିଜର ଶୁଭେଚ୍ଛୁ କିମ୍ୱା ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଚାଟାର୍ଜୀ ପ୍ରକାଶ କରିଛନ୍ତି।

୨୦୨୨ ପୌର ନିର୍ବାଚନରେ ଖଡ଼ିଆଳ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନରେ ଥିଲେ। ତିନି ପ୍ରମୁଖ ଦଳ ବିପୁଳ ଅର୍ଥ ଖର୍ଚ୍ଚ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଶ୍ରୀ ଚାଟାର୍ଜୀ ଲୋକଙ୍କ ମନକିଣି ଭୋଟ୍‌ ପାଇଥିବା ପ୍ରକାଶ କରିଥିଲେ। ଶ୍ରୀ ଚାଟାର୍ଜୀଙ୍କ ଘୋଷଣା ପରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ରାଜନୀତି ପାଣିପାଗ ଉଷ୍ମହୋଇଛି।

ad-week
Leave A Reply

Your email address will not be published.