କୋରାପୁଟରେ ମାଟି ଅତଡା ଧସି ୨ ମହିଳା ମୃତ, ୨ ଆହତ

add-all

କୋରାପୁଟ : ଘର ଲିପାପୋଛା ଓ ବାସନ ମାଜିବା ପାଇଁ ଆବଶ୍ୟକ ମାଟି ଆଣିବାକୁ ନଦୀକୂଳକୁ ଯାଇଥିଲେ। ନଦୀ କୂଳରେ ମାଟି ତାଡ଼ୁଥିବା ବେଳେ ମାଟି ଅତଡ଼ା ଧସି ଥିଲା। ଏହି ମାଟି ତଳେ ଚାପି ହୋଇ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଏହି ଅଘଟଣ ଘଟିଛି। ମୃତାହତ ମହିଳାଙ୍କ ଘର ଘାଗଡ଼ାପଣ୍ଡି ଗାଁରେ ବୋଲି ସୂଚନା ମିଳିଛି। ମୃତକମାନେ ହେଲେ ଦଇମତି ହନ୍ତାଳ ଓ ଶଶି ହନ୍ତାଳ।

ଗୁରୁତରଙ୍କୁ ଉଦ୍ଧାର ପରେ ନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଜ୍ୟୋତି ବଡ ନାୟକ ଓ ମୁକ୍ତା କିର୍ଷାନୀ। ଆଜି ମଧ୍ୟାହ୍ନରେ ଘଟିଥିବା ଏହି ଘଟଣାକୁ ନେଇ ନଦୀକୂଳରେ ଶୋକରଛାୟା ଦେଖିବାକୁ ମିଳିଥିଲା।

ମାଟି ଅତଡ଼ା ଭୁଶୁଡ଼ିବା ଖବର ପାଇ ନନ୍ଦପୁର ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ମାଟି ତଳୁ ମୃତାହତଙ୍କୁ ବାହାର କରିଥିଲା। ଆଗକୁ ଆଦିବାସୀଙ୍କ ଚଇତି ପରବ ଥିବାରୁ ଘର ଲିପାପୋଛା ନିମନ୍ତେ ବେଶ ସୁହାଉଥିବା ନଦୀକୂଳ ମାଟି ଆଣିବାକୁ ସେମାନେ ଯାଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.