ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ

add-all

ଭୁବନେଶ୍ବର: ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ମୁହାଁମୁହିଁ  ହୋଇଛନ୍ତି ଶାସକ ଓ ବିରୋଧୀ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ଯୋଗୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୂନ୍ୟକାଳରେ ୫-ଟି ସ୍କୁଲକୁ କମ୍ପ୍ୟୁଟର ଯୋଗାଣ ପ୍ରସଙ୍ଗ ଉଠାଇ କହିଛନ୍ତି, ୫-ଟି ସ୍କୁଲଗୁଡ଼ିକୁ ଯୋଗାଇ ଦିଆଯାଇଥିବା କମ୍ପ୍ୟୁଟରରେ ସୁବ୍ରତ ଛାଟୋଇଙ୍କ ଭୂମିକା କଣ? ଆଇଟି ସଚିବ ଏବଂ ୫-ଟି ସଚିବଙ୍କ ସହ ତାଙ୍କର କଣ ସମ୍ପର୍କ ରହିଛି? ଜାଲ ସାର୍ଟିଫିକେଟ ରାକେଟ ବଲାଙ୍ଗୀରରେ ଧରା ପଡିଛି। ତା ସହିତ ବଣିକ ଇନଷ୍ଟିଚ୍ୟୁଟ ର କଣ ସମ୍ପର୍କ ରହିଛି? ଗୃହରେ ଏ ନେଇ ସରକାର ଉତ୍ତର ରଖନ୍ତୁ।

ଠିକ୍ ସେହିପରି ବିରୋଧୀ ଦଳ ନେତା ରାଜ୍ୟର ସୀମା ବିବାଦ ପ୍ରସଙ୍ଗ ଉଠାଇ କହିଛନ୍ତି, କୋଟିଆ ଗ୍ରାମପୁଞ୍ଜ ଏବଂ ୨୧ ଗାଁରେ ଆନ୍ଧ୍ର ହସ୍ତକ୍ଷେପ କରୁଛି। ତାଙ୍କର ଉପ ମୁଖ୍ୟମନ୍ତ୍ରୀ ଆସି ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଆନ୍ଧ୍ର ପକ୍ଷରୁ ବିଭିନ୍ନ ସହାୟତା ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୋଟିଆ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ।ତାହା କୁଆଡ଼େ ଗଲା? ଅନ୍ୟ ରାଜ୍ୟ ସହିତ ବି ଓଡ଼ିଶାର ସୀମା ବିବାଦ ରହିଛି ସରକାର କଣ ପଦକ୍ଷେପ ନେଉଛନ୍ତି?

ଏଣେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଆସୁଛି। ମୁଖ୍ୟ ଅଭିଯୁକ୍ତଙ୍କ ସହ ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଛି। ଅଭିଯୁକ୍ତ ସରକାରୀ କ୍ୱାର୍ଟରକୁ ଜବରଦଖଲ କରି ରଖିଥିବା ଅଭିଯୋଗ ହେଉଛି। ସରକାର କଣ ପଦକ୍ଷେପ ନେଇଛନ୍ତି?

ଏହାର ଜବାବରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି । ତାଙ୍କର ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ୮ ଜଣ ସାଂସଦ ଅଛନ୍ତି। କିନ୍ତୁ କେହି କିଛି ବି କହୁ ନାହାନ୍ତି । ଏ କଥା କେତେଥର ପ୍ରଧାନମନ୍ତ୍ରୀଙ୍କୁ କେତେ ଥର ଜଣାଇଛନ୍ତି । ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର।ବିରୋଧୀ ଦଳ ନେତା ଙ୍କୁ ୫-ଟି ଭୂତ ଘାରିଛି।

ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ନରସିଂହ ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଫଟୋ ଓ ପୂର୍ବତନ ମନ୍ତ୍ରୀ ଫଟୋ ମୁଖ୍ୟ ଅଭିଯୁକ୍ତ ସହ ଥିବା ଅଭିଯୋଗ କରିଥିଲେ। ତାକୁ ଅରୁଣ କାଉଣ୍ଟର କରି ମୁଖ୍ୟ ଅଭିଯୁକ୍ତ ସହ ନରସିଂହ ମିଶ୍ରଙ୍କ ଫଟୋ ଦେଖାଇ କହିଛନ୍ତି, ଏ ଫଟୋ କାହାର?

ଅରୁଣଙ୍କ ବିବୃତି ପରେ ପୁଣି କାଉଣ୍ଟର କରିଛନ୍ତି ନରସିଂହ। ସେ କହିଛନ୍ତି, ମୋର କୌଣସି ଫଟୋ ଯଦି ଅଛି, ମୁଁ ତଦନ୍ତକୁ ସ୍ୱାଗତ କରୁଛି। ଯେଉଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ଫଟୋ ଅଛି, ମୁଖ୍ୟମନ୍ତ୍ରୀଙ୍କର ଯଦି ସାହାସ ଅଛି ତଦନ୍ତ ପ୍ରକ୍ରିୟାକୁ ଆସନ୍ତୁ।

ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହରେ ମୁହାଁମୁହିଁ ଶାସକ ବିରୋଧୀ ହୋଇଛନ୍ତି। ବାଚସ୍ପତିଙ୍କ ପୋଡିୟମ ତଳେ ବିଜେପି ଓ କଂଗ୍ରେସର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ। ଏହାପରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.