ପୁଣି ଗୋଟାଏ ଆଣବିକ ଅସ୍ତ୍ରବାହୀ ‘ବୁଡ଼ା ଡ୍ରୋନ୍‌’ ପରୀକ୍ଷା କଲା ଉତ୍ତର କୋରିଆ

add-all

ସିଓଲ୍‌: ଉତ୍ତର କୋରିଆ ପୁଣି ଗୋଟାଏ ପାଣି ଭିତରେ ଥାଇ ଆକ୍ରମଣ କରିପାରୁଥିବା ଆଣବିକ ଅସ୍ତ୍ରବାହୀ ଡ୍ରୋନ୍‌ ପରୀକ୍ଷା କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।

‘କେସିଏନ୍‌ଏ’ ରିପୋର୍ଟରେ ଉଲ୍ଲେଖ ଅଛି, ୪ରୁ ୭ ଏପ୍ରିଲ୍‌ ଭିତରେ ଉତ୍ତର କୋରିଆ ପାଣି ଭିତରେ ଥାଇ ଆକ୍ରମଣ କରିବାକୁ ସମର୍ଥ ଆଣବିକ ଅସ୍ତ୍ରବାହୀ ‘ଡ୍ରୋନ୍‌’ ‘ହେଲି-୨’ ପରୀକ୍ଷା କରିଛି।

ଏହା ପୂର୍ବରୁ ଉତ୍ତର କୋରିଆ ‘ହେଲି-୧’ ନାମରେ ଏହି ଧରଣର ଗୋଟାଏ ‘ଡ୍ରୋନ୍‌’ ପରୀକ୍ଷା କରିଥିଲା। କୋରିଆ ଭାଷାରେ ‘ହେଲି’ର ଅର୍ଥ ସୁନାମି।

ଉତ୍ତର କୋରିଆର ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘କେସିଏନ୍‌ଏ’ କହିଛି ଯେ, ବ୍ୟବହାରିକ ପରୀକ୍ଷଣ ପାଇଁ ଏହି ଡ୍ରୋନ୍‌ ପାଣି ଭିତରେ ୭୧ ଘଣ୍ଟା ୬ ମିନିଟ୍‌ରେ ୧୦୦୦ କିଲୋମିଟର୍‌ ଅତିକ୍ରମ କରି ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି। ଏହି ପାଣି ଭିତର ଯୁଦ୍ଧାସ୍ତ୍ର ବ୍ୟବସ୍ଥା ଏବଂ ତା’ର ଭୟାବହ ଆକ୍ରମଣ ସାମର୍ଥ୍ୟ ନିର୍ଭରଯୋଗ୍ୟ ବୋଲି ଏହି ପରୀକ୍ଷାରୁ ପ୍ରମାଣିତ ହୋଇଛି।

ରାଷ୍ଟ୍ରାୟତ ଗଣମାଧ୍ୟମ ରିଲିଜ୍‌ କରିଥିବା ଫଟୋରେ ଦେଖାଯାଉଛି ଗୋଟାଏ ପ୍ରକାଣ୍ଡ ତଥା କଳା ରଙ୍ଗର ବୁଡ଼ାଜାହାଜ (ଟର୍ପିଡୋ) ଆକୃତିର ଡ୍ରୋନ୍‌ ପାଣି ଭିତରେ ଗତି କରି ସମୁଦ୍ର ଉପର ଜଳରାଶିରେ ବିସ୍ଫୋରିତ ହେଉଛି।

କିନ୍ତୁ, ଏହି ‘ବୁଡ଼ା ଡ୍ରୋନ୍‌’ ଉତ୍ତର କୋରିଆ ନୌସେନାରେ ସାମିଲ କରାଯିବା ସଂକ୍ରାନ୍ତରେ କେତେକ ସମୀକ୍ଷକ ସନ୍ଦିହାନ ଅଛନ୍ତି।

ସୂଚନାଯୋଗ୍ୟ, ଗତ ଅଳ୍ପ କେତେ ସପ୍ତାହ ହେବ ଆମେରିକା ଓ ଦକ୍ଷିଣ କ‌ୋରିଆ ସେନା ଚଳାଇଥିବା ମିଳିତ ସମରାଭ୍ୟାସର ଜବାବ ଦେବାକୁ ଯାଇ ଉତ୍ତର କୋରିଆ ନିୟମିତ ଭାବେ ବିଭିନ୍ନ ଅସ୍ତ୍ରଶସ୍ତ୍ର ପରୀକ୍ଷା ଚଳାଇଛି।

ad-week
Leave A Reply

Your email address will not be published.