ସୁଦାନ ସଂଘର୍ଷ: ଖାର୍‌ତୌମ୍‌ରୁ କୂଟନୀତିଜ୍ଞମାନଙ୍କୁ ସ୍ଥାନାନ୍ତରଣ କଲେ ଆମେରିକୀୟ ସୈନିକ

add-all

ନୂଆଦିଲ୍ଲୀ: ସୁଦାନ ସଂଘର୍ଷ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଆଜି ଆମେରିକାର ସୈନିକମାନେ ଖାର୍‌ତୌମ୍‌ରେ ଥିବା ଆମେରିକୀୟ କୂଟନୀତିଜ୍ଞ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ସ୍ଥାନାନ୍ତରଣ କରିଛନ୍ତି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି: ଆଜି ମୋ ଆଦେଶକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା ସେନା ଖାର୍‌ତୌମ୍‌ରୁ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ କର୍ମଚାରୀଙ୍କୁ ବାହାର କରି ଆଣିବା ପାଇଁ ଅଭିଯାନ ଚଳାଇଥିଲେ।  ଆମ ଦୂତାବାସ କର୍ମଚାରୀଙ୍କ ପ୍ରତିବଦ୍ଧତା ଓ ସେମାନଙ୍କୁ ନିରାପଦରେ ଉଦ୍ଧାର କରିଥିବା ସୈନିକମାନଙ୍କ ନିକଟରେ ମୁଁ କୃତଜ୍ଞ।

ଏବେ ଖାର୍‌ତୌମ୍‌ରେ ଥିବା ଆମେରିକୀୟ ଦୂତାବାସ ବନ୍ଦ କରାଯାଇଥିବାରୁ ସୁଦାନରେ ଆମର ଅଭିଯାନ ସାମୟିକ ଭାବେ ସ୍ଥଗିତ ରହିଛି ବୋଲି ବାଇଡେନ୍‌ କହିଛନ୍ତି। ଏହାଛଡ଼ା, ଏଭଳି ଅଭିଯାନର ସଫଳତାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଜିବୌତି, ଇଥିଓପିଆ ଓ ସାଉଦି ଆରବକୁ ସେ ଧନ୍ୟବାଦ ଜଣାଇଛନ୍ତି।

ଏହି ଅଭିଯାନ ସଂକ୍ରାନ୍ତରେ ଜାଣିଥିବା ଦୁଇଜଣ ଆମେରିକୀୟ ସରକାରୀ ଅଧିକାରୀ ନିଉଜ୍‌ ଏଜେନ୍‌ସି ‘ଏ.ପି.’କୁ କହିଛନ୍ତି, ଦୂତାବାସର ଅବତରଣ କ୍ଷେତ୍ରରୁ ହାରାହାରି ୭୦ଜଣ ଆମେରିକୀୟ କର୍ମଚାରୀଙ୍କୁ ବିମାନ ଯୋଗେ ଇଥିଓପିଆର କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି।

ସୁଦାନରେ ଦୁଇ ସଶସ୍ତ୍ର କମାଣ୍ଡର୍‌ଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଆମେରିକୀୟ ସୈନିକମାନେ ଉପରୋକ୍ତ ଅଭିଯାନ ଚଳାଇଥିଲେ। ଦୁଇ ସପ୍ତାହରେ ପ୍ରବେଶ କରିଥିବା ସୁଦାନ ଲଢ଼େଇରେ ପ୍ରାୟ ୪୦୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବିଭନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ad-week
Leave A Reply

Your email address will not be published.