ସାମାନ୍ୟ ଘଟଣାରୁ ଡେଲିଭରୀ ବୟଙ୍କୁ ପିଟିପିଟି ହତ୍ୟା କଲେ ୨ ଯୁବକ

add-all

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଗୋଟିଏ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାରୁ ୨ ଜଣ ଯୁବକ ଜଣେ ୩୯ ବର୍ଷୀୟ ଡେଲିଭରୀ ବୟଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଦୁଇ ଯୁବକ ହେଲେ ୧୯ ବର୍ଷୀୟ ମନୀଷ କୁମାର ଓ ୨୦ ବର୍ଷୀୟ ଲାଲଚାନ୍ଦ। ସେମାନଙ୍କ ଆକ୍ରମଣରେ ପଙ୍କଜ ଠାକୁର ପ୍ରାଣ ହରାଇଛନ୍ତି।
ଦିଲ୍ଲୀର ରାଜନୀତି ନଗରରେ ମନୀଷ ଓ ଲାଲାଚାନ୍ଦଙ୍କ କାର୍‌ ଯିବା ବେଳେ ପଙ୍କଜ ରାସ୍ତା ଉପରେ ଛିଡ଼ା ହୋଇଥିଲେ। ସେ କାର୍‌ ଯିବାକୁ ସାଇଡ୍‌ ନ ହେବାରୁ ତାଙ୍କୁ ଦୁଇ ଯୁବକ ପିଟିପିଟି ହତ୍ୟା କରିଛନ୍ତି।
ପୁଲିସ୍‌ କହିଛି ଯେ ରାଜନୀତି ନଗର ମୁଖ୍ୟ ମାର୍କେଟର ଗୋଟିଏ ଗଳି ରାସ୍ତାରେ ପଙ୍କଜ ଅଚେତ ଅବସ୍ଥାରେ ପଡ଼ିଥିବା ଲୋକମାନେ ଦେଖିଥିଲେ। ତାଙ୍କ ଗାଡ଼ି ମଧ୍ୟ ସେଠାରେ ରହିଥିଲା। ସେ ରାକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବାରୁ ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କ ଦେହରେ ଏକାଧିକ କ୍ଷତଚିହ୍ନ ରହିଥିଲା। ପୁଲିସ୍‌ ତାଙ୍କ ପାଖରେ ଥିବା କାଗଜପତ୍ର ଯାଞ୍ଚ କରି ପରିଚୟ ହାସଲ କରିଥିଲା। ପଙ୍କଜ ଗୋଟିଏ ଦୋକାନରେ ହେଲପର ଭାବେ କାମ କରୁଥିଲେ। ସେ ଲୋକଙ୍କ ଘରେ ଗ୍ରୋସରୀ ସାମଗ୍ରୀ ଦିଅନ୍ତି। ପଙ୍କଜ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ସହ ଏଠାରେ ରହୁଥିଲେ। ଏବେ ତାଙ୍କ ସୁନାର ସଂସାର ଛାରଖାର ହୋଇଯାଇଛି।
ଘଟଣା ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଏହି ସମୟରେ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ଦୁଇ ଜଣ ଯୁବକ କାରରୁ ଓହ୍ଲାଇ ପ୍ରଥମେ ପଙ୍କଜ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ସେ ଅଚେତ ହୋଇ ତଳେ ପଡ଼ିବା ଯାଏ ତାଙ୍କୁ ମାଡ଼ ମାରିଥିଲେ। ଶେଷରେ ସେମାନେ କାର ଧରି ଫେରାର ହୋଇଯାଇଥିଲେ।
ପୁଲିସ୍‌ କାର୍‌ ନମ୍ବରକୁ ଯାଞ୍ଚ କରି ମନୀଷ ଓ ଲାଲଚାନ୍ଦକୁ ଗିରଫ କରିଛି। ପ୍ରଥମେ ପୁଲିସ୍‌ ସେମାନଙ୍କ ଘରେ ପହଞ୍ଚିଲା ବେଳକୁ ଉଭୟ ଫେରାର ହୋଇ ଯାଇଥିଲେ। କିନ୍ତୁ ସର୍ଚ୍ଚ ଅପରେସନ ଦ୍ୱାରା ପୁଲିସ୍‌ ଉଭୟଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଜେରା ବେଳେ ଉଭୟ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି।

ad-week
Leave A Reply

Your email address will not be published.