ଜାଲ୍ ୱେବ୍‌ସାଇଟ୍‌ ଖୋଲି ଠକିନେଲେ ୩୯.୧୧ କୋଟି

add-all

ଭୁବନେଶ୍ବର: ମିଛ ୱେବ୍‌ସାଇଟ ଖୋଲି କୋଟିକୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଘଟଣାର ତଦନ୍ତ କରି ଅପରାଧୀମାନେ ପ୍ରାୟ ୩୭୦୦ ପୁଞ୍ଜିନିବେଶକାରୀଙ୍କଠାରୁ ୩୯.୧୧ କୋଟି ଟଙ୍କା ଠକି ନେଇଥିବା ସ୍ପଷ୍ଟ କରିଛି। ତେବେ ଏଥିରୁ ମାତ୍ର ୧୧ ଲକ୍ଷ ୯୧ ହଜାର ଟଙ୍କା ପୁଲିସ୍ ଫ୍ରିଜ୍‌ କରିବାକୁ ସମର୍ଥ ହୋଇଥିବା ସୂଚନା ରହିଛି।

ଇଓଡବ୍ଲୁ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଠକମାନେ ଏକ ଜାଲ୍ ୱେବସାଇଟ୍‌ http://www.smsmvip.com ଖୋଲି ଏହାକୁ  ‘ମାରାଥନ ଡିଜିଟାଲ ହୋଲଡିଂ’ ନାମକ ଏକ ପୁଞ୍ଜିନିବେଶ ସଂସ୍ଥାର ୱେବ୍‌ସାଇଟ୍‌ ବୋଲି ଦର୍ଶାଇଥିଲେ । ଅତିକମରେ ଦିନକୁ ୧୦୦୦ ଟଙ୍କା ଓ ସର୍ବାଧିକ ୨ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରି ଅତିରିକ୍ତ ରୋଜଗାର କରନ୍ତୁ ବୋଲି ୱେବ୍‌ସାଇଟ୍‌ ତରଫରୁ ପ୍ରଲୋଭନ ଦିଆଯାଇଥିଲା।

ଠକମାନେ ଏହି ୱେବ୍‌ସାଇଟ୍‌କୁ ଚତୁରତାର ସହିତ ପରିଚାଳନା କରୁଥିଲେ। ପୁଞ୍ଜିନିବେଶକଙ୍କୁ ୟୁଟ୍ୟୁବ୍‌ ଲିଙ୍କ ଦେଉଥିଲେ ଏବଂ ଏହାକୁ ପ୍ଲେ କରି ସ୍କ୍ରିନ୍‌ ସଟ୍‌ ଟେଲିଗ୍ରାମ୍‌ ଜରିଆରେ ପଠାଇବାକୁ କହୁଥିଲେ। ପୁଞ୍ଜିନିବେଶକାରୀଙ୍କୁ ୟୁପିଆଇ ଜରିଆରେ ଅତିକମରେ ୧୦୦୦ ଟଙ୍କା ପଠାଇବାକୁ ପଡୁଥିଲା। ତଦନ୍ତ ସମୟରେ ଏହା ଜାଲ୍ ୱେବ୍‌ସାଇଟ୍‌  ବୋଲି ଜଣାପଡ଼ିଥିଲା। ତଦନ୍ତ ସମୟରେ ଜଣାପଡ଼ିଲା ଯେ, ଜାଲ୍ ୱେବସାଇଟ୍‌ ସହିତ ୧୧ଟି ଆକାଉଣ୍ଟ ସଂଯୋଗ ଥିଲା। ପ୍ରାୟ ୩ରୁ ୪ ମାସ ମଧ୍ୟରେ ଏହି ଆକାଉଣ୍ଟ ଜରିଆରେ ୩୯ କୋଟି ୧୧ ଲକ୍ଷ ଟଙ୍କା ନେଣଦେଣ ହୋଇଥିଲା। ତଦନ୍ତ ସମୟରେ ଏଥିରେ ୧୧ ଲକ୍ଷ ୯୧ ହଜାର ଟଙ୍କା ଥିଲା ବେଳେ ଏହାକୁ ଇଓଡବ୍ଲୁ ଫ୍ରିଜ୍‌ କରିଛି।

ତେବେ ଟଙ୍କାକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୩ଟି ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ମୋଟ ୮୫ ଲକ୍ଷ ଏହି ଆକାଉଣ୍ଟରେ ନେଣଦେଣ ହୋଇଥିଲା। ଏଥିରୁ ୪୧.୨୬ ଲକ୍ଷ ଦୁବାଇରେ ଡ୍ର’ କରାଯାଇଥିଲା। ଇଓଡବ୍ଲ କହିଛି ଯେ, ଏହି ୱେବ୍‌ସାଇଟ୍‌ ଏବେ ବି ସକ୍ରିୟ ରହିଛି। ସନ୍ଦେହ କରାଯାଉଛି ଯେ, ଭାରତରୁ ପାଖାପାଖି ୩୭୦୦ ପୁଞ୍ଜିନିବେଶକାରୀ ଏହି ଜାଲ୍ ୱେବ୍‌ସାଇଟ୍‌ କବଳରେ ପଡ଼ି ଠକେଇର ଶିକାର ହୋଇଛନ୍ତି। ଏହି ୱେବ୍‌ସାଇଟ୍‌ ଆମେରିକାରେ ତିଆରି ହୋଇଥିବା ବେଳେ ହଙ୍ଗ୍‌କଙ୍ଗ୍‌ରୁ ପରିଚାଳିତ ହେଉଥିଲା।

ad-week
Leave A Reply

Your email address will not be published.