ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପରିସରକୁ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ ଫିଙ୍ଗିଥିବା ବ୍ୟକ୍ତି ଗିରଫ

add-all

ଲଣ୍ଡନ୍‌: ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପ୍ରାଙ୍ଗଣକୁ ସନ୍ଦିଗ୍ଧ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ (ଗୁଳି) ଫିଙ୍ଗିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରାସାଦ ବାହାରେ ଗିରଫ କରାଯାଇଥିବା କଥା ପୁଲିସ କହିଛି ବୋଲି ‘ବିବିସି’ ରିପୋର୍ଟ କରିଛି।

ମେଟ୍ରୋପଲିଟାନ୍‌ ପୁଲିସର ମୁଖ୍ୟ ସୁପରିଣ୍ଟେଣ୍ଡେଣ୍ଟ୍‌ ଜୋସେଫ୍‌ ମ୍ୟାକ୍‌ଡୋନାଲଡ୍‌ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବାକୁ ପୁଲିସ ଅଧିକାରୀମାନେ ତତ୍ପର ହୋଇଉଠିଥିଲେ। ସେମାନେ ତାଙ୍କୁ ଧରି ହାଜତକୁ ‌ନେଇଯାଇଛନ୍ତି। ତାଙ୍କ ପାଖରୁ ଗୋଟାଏ ବ୍ୟାଗ୍‌ ମଧ୍ୟ ଉଦ୍ଧାର କରାଯାଇଛି। କୌଣସି ଗୁଳି ଫୁଟିଥିବା ଅଥବା କ‌ୌଣସି ପୁଲିସ ବା ସର୍ବସାଧାରଣ ଆହତ ହୋଇଥିବା ରିପୋର୍ଟ ମିଳିନାହିଁ। ଆମ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ରହି ଅଧିକ ତଦନ୍ତ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଲଣ୍ଡନ୍‌ ମେଟ୍ରୋପଲିଟାନ୍‌ ପୁଲିସ କହିଛି, ବ୍ୟକ୍ତିଜଣକ ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ଫାଟକରେ ପହଞ୍ଚି ପ୍ରାସାଦ ପ୍ରାଙ୍ଗଣକୁ ‘ସଟ୍‌ଗନ୍‌ କାଟ୍ରିଜ୍‌’ ବୋଲି ମନେହେଉଥିବା ସାମଗ୍ରୀ ଫିଙ୍ଗିଛନ୍ତି। ସନ୍ଧ୍ୟା ପ୍ରାୟ ୬ଟା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ତଲାସି ନିଆଯିବାବେଳେ ତାଙ୍କ ପାଖରୁ ଗୋଟାଏ ଛୁରି ବି ମିଳିଛି।

ମେ ୬ ତାରିଖ ଦିନ ରାଜା ତୃତୀୟ ଚାର୍ଲସ୍‌ଙ୍କ ରାଜ୍ୟାଭିଷେକ ଉତ୍ସବ ନିର୍ଦ୍ଧାରିତ ହୋଇଥିବା ବେଳେ ଉପରୋକ୍ତ ଘଟଣା ଘଟିଛି। ରାଜ୍ୟାଭିଷେକ ଶୋଭାଯାତ୍ରା ନିମନ୍ତେ ପ୍ରାକ୍‌-ଅଭ୍ୟାସ ପାଇଁ ମଧ୍ୟ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି। ଶୋଭାଯାତ୍ରା ପ୍ରସ୍ତୁତି ନିମନ୍ତେ ରାଜପ୍ରାସାଦ ଅଞ୍ଚଳର କେତେକ ରାସ୍ତା ମଧ୍ୟ ଆଗରୁ ବନ୍ଦ କରାଯାଇଛି। ସନ୍ଦିଗ୍ଧ ବ୍ୟକ୍ତିଜଣକ ଗିରଫ ହେବା ପରେ ପ୍ରାସାଦ ଚତୁଃପାର୍ଶ୍ବସ୍ଥ ଅଞ୍ଚଳକୁ ପୁଲିସ କର୍ଡନ୍‌ କରିଛି ବୋଲି ‘ଦି ମିରର୍‌’ ରିପୋର୍ଟ କରିଛି। ଏହା ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ad-week
Leave A Reply

Your email address will not be published.