ଶିବସେନା (ୟୁବିଟି)ର ଦାବି: ଯୋଜନାବଦ୍ଧ ଥିଲା ଶରଦ ପାୱାରଙ୍କ ଇସ୍ତଫା

add-all

ମୁମ୍ବାଇ : ଶରଦ ପାୱାର ଏନ୍‌ସିପିର ସଭାପତି ପଦରୁ ହଠାତ ଇସ୍ତଫା ଦେଇ ନାହାନ୍ତି। ସେ ଯୋଜନାବଦ୍ଧ ଭାବେ ଏହି ପଦ ତ୍ୟାଗ କରିଛନ୍ତି। ଶରଦ ପାୱାର ଏନ୍‌ସିପିର ସଭାପତି ପଦ ଛାଡ଼ିବାର ଦୁଇ ଦିନ ପରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପକ୍ଷରୁ କୁହାଯାଇଛି ଏହି କଥା। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଆଜି ଏହି ଦାବି କରାଯାଇଛି।
‘ସାମନା’ରେ ଲେଖାଯାଇଛି, ଶରଦ ପାୱାରଙ୍କ ଘନିଷ୍ଠ ସହଯୋଗୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ସେ ମେ’ ୧ ତାରିଖରେ ଏନ୍‌ସିପି ସଭାପତି ପଦରୁ ଇସ୍ତଫା ଦେବା ପାଇଁ ଯୋଜନା କରିଥିଲେ। ସେଦିନ ଥିଲା ମହାରାଷ୍ଟ୍ର ଦିବସ। କିନ୍ତୁ ମୁମ୍ବାଇରେ ବଞ୍ଚିତ ବହୁଜନ ଅଘାଡ଼ିର ବୈଠକ ପାଇଁ ସେ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ ଏବଂ ମେ’ ୨ ତାରିଖରେ ଇସ୍ତଫା ଘୋଷଣା କରିଥିଲେ। ଏମିତିକି ସେ ତାଙ୍କ ବିଦାୟୀ ଭାଷଣ ବି ପୂର୍ବରୁ ପ୍ରସ୍ତୁତ କରିଥିଲେ।
ଏଥିରେ ଆହୁରି ଲେଖାଯାଇଛି, ଶରଦ ପାୱାର ଇସ୍ତଫା କଥା ଘୋଷଣା କରିବା ପରେ ଏହାକୁ ପ୍ରତ୍ୟାହାର କରି ନେବା ପାଇଁ ଉପସ୍ଥିତ ଦଳୀୟ ନେତା ଓ କର୍ମୀ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଦଳରେ ଥିବା ତାଙ୍କର ଅନେକ ଅନୁଗାମୀ ଏବେ ବିଜେପିରେ ଗୋଟିଏ ଲେଖାଏଁ ଗୋଡ଼ ରଖିସାରିଛନ୍ତି। ଦଳର ଏଭଳି ସ୍ଥିତି ଦେଖି ସମ୍ମାନର ସହିତ ସଭାପତି ପଦରୁ ଇସ୍ତଫା ଦେବା ପାଇଁ ଶରଦ ପାୱାର ନିଷ୍ପତ୍ତି ନେଇଥିବେ।
‘ସାମନା’ର ସମ୍ପାଦକୀୟରେ ଏନ୍‌ସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ସମାଲୋଚନା କରାଯାଇଛି। ଏଥିରେ ଲେଖା ହୋଇଛି ଯେ ଅଜିତଙ୍କର ଏକ ମାତ୍ର ଲକ୍ଷ୍ୟ ହେଉଛି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ହାତେଇବା।
ସୂଚନାଯୋଗ୍ୟ, ଶରଦ ପାୱାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିବା ବେଳେ ଦଳର ନୂଆ ସଭାପତି ବାଛିବା ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଆସନ୍ତାକାଲି ସୁଦ୍ଧା ତା’ର ନିଷ୍ପତ୍ତି ଶୁଣାଇବ।

ad-week
Leave A Reply

Your email address will not be published.