
ମୁମ୍ବାଇ: ସୁଦୀପ୍ତ ସେନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କେରଳ ଷ୍ଟୋର’କୁ ନେଇ ଗତ ସପ୍ତାହରୁ ବିବାଦ ଲାଗି ରହିଥିବା ବେଳେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀ ସୋମବାର କହିଛନ୍ତି ଯେ ‘କେରଳ ଷ୍ଟୋରି’ର ପ୍ରଦର୍ଶନକୁ ନିଷେଧ କରିବା ଭୁଲ। ଯେଉଁମାନେ ଆମୀର ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’କୁ ବ୍ୟାନ୍ କରିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ସେତିକି ଭୁଲ୍।
ଆଇନ ଶୃଙ୍ଖଳା ସମସ୍ୟା ଏବଂ ଜନସାଧାରଣଙ୍କ ପ୍ରତିକ୍ରିୟା ଖରାପ ଥିବା ଦର୍ଶାଇ ତାମିଲନାଡୁର ମଲ୍ଟିପ୍ଲେକ୍ସଗୁଡ଼ିକ ରବିବାରଠାରୁ ଏହି ବିବାଦୀୟ ଚଳଚ୍ଚିତ୍ରର ପ୍ରଦର୍ଶନକୁ ବାତିଲ କରିବାର ଗୋଟିଏ ଦିନ ପରେ ଅଭିନେତ୍ରୀ ଶବାନା ଆଜମୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଟୁଇଟ୍ କରି ଶବାନା ଆଜମୀ କହିଛନ୍ତି ଯେ କୌଣସି ଫିଲ୍ମ ରିଲିଜ୍ ହେବ କି ନାହିଁ ତାହା ସ୍ଥିର କରିବାର ଅଧିକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ବ୍ୟତୀତ ଆଉ କାହାର ନାହିଁ।
ଯେଉଁମାନେ ‘ଦ କେରଳ ଷ୍ଟୋରି’କୁ ବ୍ୟାନ୍ କରିବା କଥା କହୁଛନ୍ତି, ସେମାନେ ଆମୀର ଖାନଙ୍କ ‘ଲାଲ ସିଂହ ଚଡ୍ଡା’କୁ ବ୍ୟାନ୍ କରିବାକୁ ଚାହୁଁଥିବା ଲୋକଙ୍କ ଭଳି ଭୁଲ୍। ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଦ୍ୱାରା କୌଣସି ଚଳଚ୍ଚିତ୍ର ପାରିତ ହେବା ପରେ ଏ ନେଇ ଆଉ କାହାର ଅତିରିକ୍ତ ସାମ୍ବିଧାନିକ କର୍ତ୍ତୃପକ୍ଷ ହେବାର ଅଧିକାର ନାହିଁ ବୋଲି ୭୨ ବର୍ଷୀୟା ଅଭିନେତ୍ରୀ ନିଜର ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରରେ ଲେଖିଛନ୍ତି।
ଅଗଷ୍ଟ ୧୧, ୨୦୨୨ରେ ଆମୀରଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ରିଲିଜ୍ ହେବା ପୂର୍ବରୁ ସୋସିଆଲ ମିଡିଆରେ ଚାଲିଥିବା ‘ବୟକଟ୍’ ଟ୍ରେଣ୍ଡ ବିଷୟରେ ଆଜମୀ ଏହା କହିଛନ୍ତି। ଆଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦ କେରଳ ଷ୍ଟୋରି’ ଶୁକ୍ରବାର ସିନେମା ହଲରେ ମୁକ୍ତିଲାଭ କରଛି। କେରଳରୁ ନିଖୋଜ ହୋଇଥିବା ପ୍ରାୟ ୩୨,୦୦୦ ମହିଳାଙ୍କ ଘଟଣା ପଛର ଘଟଣାକୁ ଏଥିରେ ଚିତ୍ରିତ କରାଯାଇଛି।
ଗତ ସପ୍ତାହରେ କେରଳ ହାଇକୋର୍ଟ ମଧ୍ୟ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ ଟ୍ରେଲରରେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ଆପତ୍ତିଜନକ କିଛି ନାହିଁ।