କର୍ଣ୍ଣାଟକ ନିର୍ବାଚନ: ‘ଏଲ୍‌ପିଜି’ ସିଲିଣ୍ଡର୍‌କୁ ଫୁଲମାଳ ପିନ୍ଧାଇ ପୂଜା କଲେ କଂଗ୍ରେସ କର୍ମୀ

add-all

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ବେଙ୍ଗାଲୁରୁର ରାଜରାଜେଶ୍ବରୀ ନଗର ଅଞ୍ଚଳରେ କଂଗ୍ରେସ କର୍ମୀମାନେ ଗୋଟାଏ ‘ଏଲ୍‌ପିଜି’ ଗ୍ୟାସ୍‌ ସିଲିଣ୍ଡର୍‌କୁ ଫୁଲହାର ପିନ୍ଧାଇ ଧୂପଦୀପ ଦେଇ ଭୋଗ ଲଗାଇଥିବା ରିପୋର୍ଟ ଆସିଛି। ଗଣମାଧ୍ୟମରେ ସିଲିଣ୍ଡର୍‌ ପୂଜା ସମୟର ଭିଡିଓ ମଧ୍ୟ ପ୍ରସାରଣ କରାଯାଉଛି।
‘ଏଲ୍‌ପିଜି’ ଦର ବୃଦ୍ଧି ଯୋଗୁଁ ଉପ‌ରୋକ୍ତ କାର୍ଯ୍ୟକଳାପ ‘ବିଜେପି’ ପ୍ରତି ବିଦ୍ରୂପ ‌ହୋଇଥିବା ବେଳେ ‘ବିଜେପି’ ସାଂସଦ ତେଜସ୍ବୀ ସୂର୍ଯ୍ୟ କଂଗ୍ରେସକୁ ପାଲଟା ସମାଲୋଚନା କରି କହିଛନ୍ତି, ମେ ୧୩ ତାରିଖରେ ବଜରଙ୍ଗ ବଳୀଙ୍କର ରାଜ୍ୟ କର୍ଣ୍ଣାଟକ ଏସବୁର ଜବାବ ଦେବ। ଡି. କେ. ଶିବକୁମାର ଓ କଂଗ୍ରେସ ପାର୍ଟିଙ୍କ ‘ଏଲ୍‌ପିଜି’ ସିଲିଣ୍ଡର୍‌ ପୂଜାକୁ ଆମେ ସ୍ବାଗତ କରୁଛୁ। ଆମେ ଖୁସି ଯେ, କଂଗ୍ରେସ କିଛି ନା କିଛି ପୂଜା ତ କରୁଛି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି କଂଗ୍ରେସ ପାର୍ଟି ଏହି ନିର୍ବାଚନରେ ବିଜୟୀ ହେବ। ଆମେ ୧୩୦/୩୫ ଆସନରୁ ଅଧିକ ପାଇବୁ।
ସେହିପରି, ଜ୍ୟୋତିଷ ଗଣନା ଅନୁସାରେ ଅପରାହ୍ଣ ୧୨.୨୩ରୁ ୧.୫୯ ପର୍ଯ୍ୟନ୍ତ ରାହୁକାଳ ରହୁଥିବାରୁ କିଛି ଭୋଟର୍‌ ତା’ପୂର୍ବରୁ ଭୋଟ୍‌ ଦେବାକୁ ତରବର ହେଉଥିବା କଥା ‘ନିଉଜ୍‌୧୮’ ରିପୋର୍ଟ କରିଛି।
ସେପଟେ, ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରାୟ ୨୧% ଭୋଟର୍‌ ମତଦାନ କରିଥିବା କଥା ନିର୍ବାଚନ କମିସନ୍‌ ରିପୋର୍ଟ କରିଛି।
ଏହାଛଡ଼ା, ମହୀଶୂରର ଚିକ୍କମାଗାଲୁରୁ ଅନ୍ତର୍ଗତ ୧୬୫ ନମ୍ବର ବୁଥ୍‌ରେ ବରକନ୍ୟା ଓ ସେମାନଙ୍କ ପରିବାର ଭୋଟ୍‌ ଦେଇଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ad-week
Leave A Reply

Your email address will not be published.