ଘରେ ପଶିଲେ ୮ ଡକାୟତ, ଲୁଟି ନେଲେ ଟଙ୍କା ସହ ସୁନା

add-all

ବାଲେଶ୍ୱର: ୨ ମାସ ତଳେ ଘରକୁ ଆସିଥିଲା ନୂଆ ବୋହୂ । ତେଣୁ ଘରେ ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ବି ଥିଲା। ଏହା ଜାଣି ପାରି ଗତ ରାତିରେ ମାରଣାସ୍ତ୍ର ଧରି ଘରେ ପଶିଲେ ୮ ଡକାୟତ । ଆଉ ଶାଶୂ, ବୋହୂଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଲୁଟି ନେଲେ ୫୦ ହଜାର ଟଙ୍କା ସାଙ୍ଗକୁ ୫ ଭରି ସୁନା। ଏପରି ଏକ ସଶସ୍ତ୍ର ଡକାୟତି ଗତ ରାତିରେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଘିରାପଦା ଗାଁରେ ଘଟିଛି।

ଅଘିରାପଦା ଗାଁରେ ଶାନ୍ତିଲତା ନାୟକ ନାମ୍ନୀ ବୃଦ୍ଧା ରହୁଥିବା ବେଳେ ୨ ମାସ ତଳେ ତାଙ୍କ ପୁଅ ବାହାଘର ହୋଇଥିଲା। ବିବାହ ପରେ ପୁଅ ନିଜ କର୍ମ ସ୍ଥଳୀକୁ ଚାଲି ଯାଇଥିବା ବେଳେ ଘରେ ଶାଶୂ, ବୋହୂ ରହୁଥିଲେ। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ପରେ ୮ ଜଣ ଦୁର୍ବୃତ୍ତ ଏକ କାର୍‌ରେ ଅଘିରାପଦା ଗାଁରେ ପହଞ୍ଚିଲେ।

ଶାନ୍ତିଲତାଙ୍କ ଛାତ କବାଟ ଖୋଲାଥିବା ବେଳେ ଉକ୍ତ ଡକାୟତମାନେ ଛାତ ଉପରକୁ ଯାଇ ଘରେ ପଶିଥିଲେ। ଏହାପରେ ସେମାନେ ଶାନ୍ତିଲତା ଶୋଇଥିବା ରୁମ୍‌କୁ ଯାଇ ତାଙ୍କ ବନ୍ଧୁକ, ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ଏହାପରେ ବୋହୂ ରୁମ୍‌ କବାଟ ଭାଙ୍ଗିଥିଲେ।  ନୂଆ ବୋହୂ ଚିତ୍କାର କରିବାରୁ ସେମାନେ ତାଙ୍କ ବେକରେ ଭୁଜାଲି ଲଗାଇ ପାଟି କଲେ ହାଣି ଦେବାକୁ ଧମକ ଦେଇଥିଲେ। ଏହାପରେ ଆଲମିରା ଚାବି ନେଇ ସେଥିରୁ ୫ ଭରି ସୁନା ଓ ୫୦ ହଜାର ଟଙ୍କା ନେଇ ଯାଇଥିଲେ। ଲୁଟ୍‌ର ପ୍ରାୟ ଘଣ୍ଟାଏ ପରେ ଘରେ କଳାକନା ବୁଲାଇ ସେମାନେ ଫେରାର ହୋଇ ଯାଇଥିଲେ।

ଡକାୟତମାନେ ଚାଲି ଯିବା ପରେ ଶାଶୂ, ବୋହୂ ପାଟି କରି ସାହି ପଡ଼ିଶାଙ୍କୁ ଡାକିବାରୁ ସେମାନେ ଘରେ ପହଞ୍ଚିଥିଲେ। ଏହାପରେ ଖବର ପାଇ ପୁଲିସ୍‌ ଗତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ ଘଟଣାସ୍ଥଳକୁ ଯାଇ ତଲାସୀ କରିବ ବୋଲି ଜଣାଯାଇଛି। ଲୁଟେରାମାନେ ମୁହଁରେ କଳା କପଡ଼ା ବାନ୍ଧିଥିବା ବେଳେ ଶାଶୂବୋହୂ ସେମାନଙ୍କୁ ଚିହ୍ନଟ କରି ପାରି ନାହାନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.