କର୍ଣ୍ଣାଟକରେ ପରାଜୟ ସ୍ୱୀକାର କଲା ବିଜେପି

add-all

ବେଙ୍ଗାଲୁରୁ: ଅନେକ ଚେଷ୍ଟା କରିବା ସତ୍ତ୍ବେ ଆମେ ସନ୍ତୋଷଜନକ ଫଳ ପାଇଲୁ ନାହିଁ କହି ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପରାଜୟ ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା ବିଧାନସଭା ଭୋଟ୍‌ ଗଣତିରେ ଆଜି ପୂର୍ବାହ୍ନ ୧୦ ସୁଦ୍ଧା ୧୧୩ଟି ଆସନରେ ଅଗ୍ରଣୀ ରହି କଂଗ୍ରେସ ସଂଖ୍ୟାଗରିଷ୍ଠତା ସୀମା ଅତିକ୍ରମ କରିଯାଇଥିଲା, ଏବଂ ମଧ୍ୟାହ୍ନ ସୁଦ୍ଧା କଂଗ୍ରେସ ୧୨୦ରୁ ଅଧିକ ଆସନରେ ଅଗ୍ରଣୀ ରହିଥିଲା।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ସାମ୍ବାଦିକମାନଙ୍କୁ ବୋମ୍ମାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ‘ବିଜେପି’ କର୍ମୀମାନଙ୍କର ବହୁ ଉଦ୍ୟମ ସତ୍ତ୍ବେ ଆମେ ସନ୍ତୋଷଜନ ଫଳ ପାଇବାକୁ ସମର୍ଥ ହେଲୁ ନାହିଁ। ସମ୍ପୂର୍ଣ୍ଣ ପରିଣାମ ପ୍ରକାଶ ପାଇବା ପରେ ଆମେ ସବିଶେଷ ସମୀକ୍ଷା କରିବୁ। ଏହି ଫଳାଫଳକୁ ଆଧାରଶିଳା କରି ଆମେ ଲୋକସଭା ନିର୍ବାଚନରେ ଜିଣିବାକୁ ଉଦ୍ୟମ କରିବୁ।

ଉଲ୍ଲେଖଯୋଗ୍ୟ, ‘ବିଜେପି’ ନିଶ୍ଚୟ ବିଜୟ ହାସଲ କରିବ ବୋଲି ତାଙ୍କର ଦୃଢ଼ ବିଶ୍ବାସ ରହିଛି ବୋଲି ପୂର୍ବରୁ ବୋମାଇ କହୁଥିଲେ। ସେ ଆହୁରି ମଧ୍ୟ କହୁଥିଲେ କି, ନିଜ ବିଧାୟକଙ୍କ ଉପରେ ଭରସା ନ ଥିବା କାରଣରୁ କଂଗ୍ରେସ ଅନ୍ୟ ଦଳମାନଙ୍କ ସହିତ ମେଣ୍ଟ କରିବାକୁ ଚେଷ୍ଟା ଚଳାଇଛି।

କର୍ଣ୍ଣାଟକରେ କଂଗ୍ରେସର ବିଜୟ ଆଭାସ ପାଇ ବିରୋଧୀ ଦଳମାନେ ଖୁବ୍‌ ‌ହର୍ଷୋତ୍‌ଫୁଲ୍ଲିତ ହୋଇଛନ୍ତି। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟୁଇଟ୍‌ କରି ଲେଖିଛନ୍ତି: କର୍ଣ୍ଣାଟକରୁ ଆସିଥିବା ବାର୍ତ୍ତା ହେଉଛି, ‘ବିଜେପି’ର ନକରାତ୍ମକ, ସାମ୍ପ୍ରଦାୟିକ, ଦୁର୍ନୀତିଗ୍ରସ୍ତ, ବିତ୍ତଶାଳୀ-ସମର୍ଥକ, ମହିଳା-ଯୁବା-ବିରୋଧୀ, ସାମାଜିକ-ବିଭେଦକାରୀ, ଅପପ୍ରଚାର, ବ୍ୟକ୍ତିକେନ୍ଦ୍ରିକ ରାଜନୀତିର ଅବସାନ ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.