ଶିଳ୍ପପତି ଏସ୍‌ପି ହିନ୍ଦୁଜାଙ୍କ ପରଲୋକ

add-all

ନୂଆଦିଲ୍ଲୀ : ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସ୍‌ପି ହିନ୍ଦୁଜା ଆଜି ଲଣ୍ଡନରେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଏ ସମ୍ପର୍କରେ ତାଙ୍କ ଗ୍ରୁପର ମୁଖପାତ୍ର ଗୋଟିଏ ବିବୃତି ଜାରି କରି ସୂଚନା ଦେଇଛନ୍ତି।
ଏଥିରେ କୁହାଯାଇଛି ଯେ “ଗୋପିଚାନ୍ଦ, ପ୍ରକାଶ, ଅଶୋକ ଓ ପୂରା ହିନ୍ଦୁଜା ପରିବାର ବେଶ ଦୁଃଖର ସହ କହିବାକୁ ଚାହୁଁଛି ଯେ ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଆଉ ନାହାନ୍ତି।” ୪ ହିନ୍ଦୁଜା ଭାଇଙ୍କ ମଧ୍ୟରେ ଏସ୍‌ପି ସବୁଠାରୁ ବଡ଼ ଥିଲେ। ଏସ୍‌ପିଙ୍କ ବାପା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜା ପ୍ରଥମେ ଗ୍ରୁପର ପ୍ରତିଷ୍ଠା କରିଥିଲେ। ବ୍ୟାଙ୍କିଙ୍ଗ, ଅର୍ଥ, ପରିବହନ, ଶକ୍ତି, ଟେକ୍ନୋଲଜି, ମିଡିଆ ଓ ପୁନଃନବୀକରଣ ଶକ୍ତି ଆଦି କ୍ଷେତ୍ର ସହ ହିନ୍ଦୁଜା ଗ୍ରୁପ୍‌ ଜଡ଼ିତ।
୧୯୫୨ରେ ପାଠପଢ଼ା ଶେଷ କରିବା ପରେ ଏସ୍‌ପି ହିନ୍ଦୁଜା ପରିବାର ବ୍ୟବସାୟ ସହ ଜଡ଼ିତ ହୋଇଥିଲେ। ସେ ତାଙ୍କ ୩ ଭାଇଙ୍କ ସହ ମିଶି ଗ୍ରୁପ୍‌କୁ ଆହୁରି ବିସ୍ତାର କରିଥିଲେ। ଏବେ ଏସିଆ, ମଧ୍ୟପ୍ରାଚ୍ୟ, ୟୁରୋପ ଓ ଆମେରିକାରେ ହିନ୍ଦୁଜା ଗ୍ରୁପ୍‌ ବ୍ୟବସାୟ କରୁଛି।
ଏସ୍‌ପିଙ୍କ ପତ୍ନୀ ମଧୁ ହିନ୍ଦୁଜା ଚଳିତ ବର୍ଷ ୮୨ ବର୍ଷ ବୟସରେ ଆଖି ବୁଜିଥିଲେ। ହିନ୍ଦୁଜା ଦମ୍ପତିଙ୍କ ଦୁଇ ଝିଅ ଅଛନ୍ତି। ସେମାନେ ହେଲେ ଶାନୁ ଓ ବିନୁ। ତେବେ ଦମ୍ପତିଙ୍କ ଏକମାତ୍ର ପୁଅ ଧର୍ମଙ୍କ ମୃତ୍ୟୁ ୧୯୯୨ରେ ହୋଇଯାଇଥିଲା।
ବ୍ରିଟିଶ ଭାରତର କରାଚିରେ ଜନ୍ମ ଗ୍ରହଣ କରିଥିବା ଏସ୍‌ପି ଓ ତାଙ୍କର ଦୁଇ ସାନ ଭାଇ ଏକଦା ବୋଫର୍ସ ସ୍କାମରେ ଫସିଥିଲେ। ହିନ୍ଦୁଜା ଭ୍ରାତା ସ୍ୱିଡେନ ଗନମେକର ଏବି ବୋଫର୍ସକୁ ଭାରତର ସରକାରଙ୍କ ଡିଲ୍‌ ଦେବା ପାଇଁ ୬୪ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ତେବେ ୨୦୦୫ରେ ପ୍ରମାଣ ଅଭାବରୁ ଦିଲ୍ଲୀ ହାଇକୋର୍ଟ ୩ ଭାଇଙ୍କୁ ଏହି ମାମଲାରୁ ଖଲାସ କରିଥିଲେ।

ad-week
Leave A Reply

Your email address will not be published.