
ମାଲକାନଗିରି : ଚିତ୍ରୋକୋଣ୍ଡା ରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ ନଂ OD 07 AK4255 ଉପରକୁ ଗତକାଲି ଗୁଳି ମାଡ଼ ଘଟଣାକୁ ନେଇ ତଦନ୍ତ ଜାରି ରହିଥିଲା ବେଳେ ଗତକାଲି ଠାରୁ ସମସ୍ତ ଯାତ୍ରୀଙ୍କୁ ପଚରା ଉଚରା କରିବା ସହ ବୈପାରିଗୁଡା ପୋଲିସ ଅଟକ ରଖିଥିବା ଜଣାପଡିଛି । ଗତକାଲି ରାତିରେ କୋରାପୁଟ ଜୟପୁର ଏସ ଡି ପିଓ ହରିଷ ବିଶି ଓ ଏସ ପି ଅଭିନବ ଶଙ୍କର ଘଟଣା ସ୍ଥଳପରିଦର୍ଶନ କରିବା ସହ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ବିଏସଏଫ ଙ୍କ ସହ ଆଲୋଚନା କରିଥିଲେ । ଆଜି ସକାଳୁ କୋରାପୁଟ ରୁ ସାଇନ୍ଟଫିକ ଟିମ ଆସି ଘଟଣା ସ୍ଥଳ ଓ ପାରିପାର୍ଶ୍ବିକ ଅଂଚଳ ତନ୍ନ ତନ୍ନ କରି ଯାଞ୍ଚ ଜାରି ରଖିଛନ୍ତି । ସମସ୍ତ ବସ ଯାତ୍ରୀଙ୍କୁ ରାତ୍ର ରହଣି ସମୟରେ ବିଏସଏଫ ତରଫରୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।