ସୁପ୍ରିମକୋର୍ଟରେ ବିହାର ସରକାର ନିରାଶ: ବନ୍ଦ ରହିବ ଜାତିଭିତ୍ତିକ ଜନଗଣନା

add-all

ନୂଆଦିଲ୍ଲୀ : ବିହାର ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା। ରାଜ୍ୟରେ ଚାଲି ପାରିବ ନାହିଁ ଜାତିଭିତ୍ତିକ ଜନଗଣନା। ବିହାର ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରୁଥିବା ବେଳେ ଏହା ଉପରେ ପ୍ରଥମେ ପାଟନା ହାଇକୋର୍ଟ ରୋକ ଲଗାଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେବେ ସର୍ବୋଚ୍ଚ ଅଦାଲତ ମଧ୍ୟ ବିହାରରେ ଜାତିଭିତ୍ତିକ ଜନଗଣନା ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ହାଇକୋର୍ଟରେ ଜୁଲାଇ ୩ରେ ହେବାକୁ ଥିବା ଶୁଣାଣି ଯାଏ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।
ଶୁଣାଣି ବେଳେ ଜଷ୍ଟିସ ଅଭୟ ଏସ୍‌ ଓକା ଓ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଖଣ୍ଡପୀଠ କହିଛନ୍ତି ଯେ ଜାତିଭିତ୍ତିକ ଜନଗଣନାରେ ବ୍ୟକ୍ତିଗତ ଗୋପନୀୟତା ଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗ ଜଡ଼ିତ ହୋଇ ରହିଛି। ପ୍ରଥମେ ହାଇକୋର୍ଟ ଏହା ଉପରେ ନିଷ୍ପତ୍ତି ନିଅନ୍ତୁ। ନଚେତ ସୁପ୍ରିମକୋର୍ଟ ଏହାର ବିଚାର କରିବେ।
ବିହାର ସରକାରଙ୍କ ପକ୍ଷରୁ ଯୁକ୍ତି ରଖୁଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ ହାଇକୋର୍ଟ ଦେଇଥିବା ରାୟର କପି ଦାଖଲ କରିବା ସହ ଜନଗଣନା ବେଳେ ସଂଗୃହୀତ ତଥ୍ୟକୁ କୌଣସି ପ୍ରକାରରେ ମଧ୍ୟ ଲିକ୍‌ କରାଯିବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜାତିଭିତ୍ତିକ ଜନଗଣନା ଜାନୁଆରୀ ୭ରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୮୦% ସର୍ଭେ ଶେଷ ହୋଇଯାଇଛି।
ତଥ୍ୟ ସଂଗ୍ରହ ପାଇଁ ଆଉ କେବଳ ୧୦ ଦିନ ସମୟ ଦରକାର। ୩ ଲକ୍ଷରୁ ଅଧିକ ଶିକ୍ଷକ, ସରକାରୀ କର୍ମଚାରୀ ଓ ଅନ୍ୟମାନେ ଏହି ଜନଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏଥିପାଇଁ ବଜେଟର ବ୍ୟବସ୍ଥା କରାଯାଇଛି।
ଯଦି ସର୍ଭେରେ ବିଳମ୍ବ କରାଯାଏ, ତା’ହେଲେ ଏହାର ଫଳାଫଳ ତୃଣମୂଳସ୍ତରରେ ଆଦୌ ପରିଲକ୍ଷିତ ହେବ ନାହିଁ। ଏହାକୁ ଶେଷ କରିବା ପାଇଁ ଅନୁମତି ଦିଅନ୍ତୁ। ଏହା କାହା ସହ ପକ୍ଷପାତିତା କରିବ ନାହିଁ ବୋଲି ଦିବାନ କହିଥିଲେ।
ଏକଥା ଶୁଣିବା ପରେ ମଧ୍ୟ ଖଣ୍ଡପୀଠ ଜାତିଭିତ୍ତିକ ଜନଗଣନା ସପକ୍ଷରେ ମତ ରଖିନାହାନ୍ତି। ଯଦି ଜୁଲାଇ ୩ରେ ହାଇକୋର୍ଟ ଏହାର ଶୁଣାଣି ନ କରିବେ, ତା’ହେଲେ ସର୍ବୋଚ୍ଚ ଅଦାଲତ ସପ୍ତାହକ ମଧ୍ୟରେ ମାମଲାର ବିଚାର କରିବେ। ସେ ଯାଏ ହାଇକୋର୍ଟଙ୍କ ଅନ୍ତରୀଣ ରାୟ କାଏମ ରହିବ ବୋଲି ଖଣ୍ଡପୀଠ କହିଛନ୍ତି।
ଜାନୁଆରୀ ୭ରୁ ୨୧ ଯାଏ ବିହାରରେ ପ୍ରଥମ ପର୍ଯ୍ୟାୟ ଜାତି ଭିତ୍ତିକ ସର୍ଭେ କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡ ସର୍ଭେ ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ବେଳେ ମେ’ ୧୫ ଯାଏ ଚାଲିବାର ଥିଲା। କିନ୍ତୁ ମେ’ ୪ ତାରିଖରେ ପାଟନା ହାଇକୋର୍ଟ ତତ୍କାଳ ଭାବେ ଏହା ଉପରେ ରୋକ ଲଗାଇ ଦେଇଥିଲେ।

ad-week
Leave A Reply

Your email address will not be published.