ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କୁ ଅପମାନିତ କରିଛି କେନ୍ଦ୍ର: କେଜ୍ରିୱାଲ

add-all

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଜାରି କରିଥିବା ଅଧ୍ୟାଦେଶକୁ ଆପ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ସମାଲୋଚନା କରିଛନ୍ତି। ଅଧ୍ୟାଦେଶ ଦ୍ୱାରା କେନ୍ଦ୍ର ସରକାର ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଦାୟିତ୍ୱ ଉପ ରାଜ୍ୟପାଳଙ୍କୁ ଦେଇଛନ୍ତି।
ଏପରି କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅପମାନିତ କରିଛନ୍ତି। ଏହାକୁ ତାଙ୍କ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଏହି ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଓ ସର୍ବୋଚ୍ଚ ଅଦାଲତଙ୍କ ଅପମାନ। ଗଣତନ୍ତ୍ର ଉପରେ ଏହା କେନ୍ଦ୍ର ସରକାରଙ୍କ ଖରାପ ଜୋକ। କାହିଁକି କେନ୍ଦ୍ର ସରକାର ଗୋଟିଏ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି? କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆମେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ।”
କେଜ୍ରିୱାଲ ଆହୁରି କହିଛନ୍ତି ଯେ ବିରୋଧୀ ଦଳର ନେତାମାନଙ୍କ ସହ ଯୋଗାଯୋଗ କରି ଏହି ଅଧ୍ୟାଦେଶ ଯେମିତି ସଂସଦରେ ପାରିତ ନ ହେବ, ତା’ର ବ୍ୟବସ୍ଥା କରିବେ। ସେହିପରି ଆପ୍‌ ମଧ୍ୟ ଘର ଘର ବୁଲିବ ଓ ମେଗା ରାଲି କରି ଅଧ୍ୟାଦେଶ ବିରୋଧରେ ପ୍ରଚାର କରିବ ବୋଲି କେଜ୍ରିୱାଲ କହିଛନ୍ତି।
କିଛି ଦିନ ତଳେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଦିଲ୍ଲୀର ପ୍ରଶାସନିକ ଅଦଳବଦଳ ଓ ନିଯୁକ୍ତି ନିର୍ବାଚିତ ସରକାରଙ୍କର ବୋଲି ରାୟ ଦେଇଥିଲେ। କିନ୍ତୁ କେନ୍ଦ୍ର ସରକାର ଶୁକ୍ରବାର ଅଧ୍ୟାଦେଶ ଦ୍ୱାରେ ଟ୍ରାନ୍ସଫର ଓ ପୋଷ୍ଟିଂ ଦାୟିତ୍ୱ ନ୍ୟାଶନାଲ କ୍ୟାପିଟାଲ ସିଭିଲ ସର୍ଭିସ ଅଥୋରିଟିର ବୋଲି କହିଥିଲେ।
ଏହି ଅଥୋରିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିବେ। ଏହାବାଦ ମୁଖ୍ୟ ଶାସନ ସଚିବ ଓ ପ୍ରିନ୍ସିପାଲ ଗୃହ ସଚିବ ଅଥୋରିଟିର ସଦସ୍ୟ ରହିବେ। ସବୁ ପୋଷ୍ଟିଂ ଓ ବଦଳି ସଦସ୍ୟଙ୍କ ଭୋଟ ଆଧାରରେ ହେବ। ମତପାର୍ଥକ୍ୟ ଦେଖାଗଲେ ଉପ ରାଜ୍ୟପାଲ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହାକୁ କେହି ବି ବେଖାତିର କରିପାରିବେ ନାହିଁ ବୋଲି ଅଧ୍ୟାଦେଶରେ କୁହାଯାଇଥିଲା।

ad-week
Leave A Reply

Your email address will not be published.