ରାସ୍ତା ଉପରେ ଜଳିଗଲା ‘ମୋ ବସ୍‌’, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

add-all

ରାଉରକେଲା: ରାଉରକେଲାରେ ଆଜି ଏକ ‘ମୋ ବସ୍‌’ ଜଳିଯାଇଛି। ତେବେ ସମସ୍ତ ଯାତ୍ରୀ ଓ ବସ୍ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ବସ୍‌ଟି ରାଉରକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ଏଥିରେ ନିଆଁ ଲାଗି ଯାଇଥିଲା। ସେତେବେଳେ ବସ୍‌ରେ ୮ରୁ ୧୦ ଜଣ ଯାତ୍ରୀ ଥିଲେ।

ଇଞ୍ଜିନ ପାଖରୁ ଧୂଆଁ ବାହାରୁଥିବା ନେଇ ପ୍ରଥମେ ଯାତ୍ରୀମାନେ ଦେଖିଥିଲେ। ସେମାନେ ଏନେଇ ଡ୍ରାଇଭରଙ୍କୁ ଜଣାଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ। ତା’ପରେ ବସ୍ କର୍ମଚାରୀ ଓ ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ।

ଏହା ପରେ ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ପୂରା ବସ୍‌ଟିରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ କର୍ମୀମାନେ ଆସି ନିଆଁ ଲିଭାଇଥିଲେ। ତେବେ ସେତେବେଳକୁ ବସ୍‌ଟି ପୂରା ଜଳି ଯାଇଥିଲା।

ବସ୍‌ରେ କାହିଁକି ନିଆଁ ଲାଗିଲା, ତାହା ଜଣାପଡ଼ିନି। ଗତ ଜାନୁଆରୀ ମାସରୁ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା। ହକି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଏଠାରେ ମୋ ବସ୍ ଗଡ଼ିଥିଲା।

ad-week
Leave A Reply

Your email address will not be published.