ଆସାମର ‘ଲେଡି ସିଂଘମ୍‌’ ଜୁନମଣି ରାଭାଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ତଦନ୍ତ କରିବ ‘ସିବିଆଇ’

add-all

ଦିସପୁର: ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ (ସିବିଆଇ) ମହିଳା ପୁଲିସ ଅଫିସର୍‌ ଜୁନମଣି ରାଭାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ କରିବ ବୋଲି ଶନିବାର ଦିନ ଆସାମ ପୁଲିସ ସୁପାରିସ କରିଛି।

ମେ ୧୬ ତାରିଖ ଦିନ ନାଓଗାଓଁ ଜିଲ୍ଲାରେ ଗୋଟାଏ କଣ୍ଟେନର୍‌ ଟ୍ରକ୍‌ ସହିତ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ଖାଇବାରୁ ଆସାମ ପୁଲିସର ଏହି ମହିଳା ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କର ମୃତ୍ୟୁ ଘଟିଥିଲା। ଏ ମହିଳା ପୁଲିସ ଅଧିକାରୀଜଣକ କେତେଗୁଡ଼ିଏ ବିବାଦରେ ଛନ୍ଦି ହୋଇପଡ଼ିଥିଲେ।

ଆସାମ ‘ଡିଜିପି’ ଜି. ପି. ସିଂହ କହିଛନ୍ତି, ମେ ୧୬ ତାରିଖ ରାତିରେ ଆମେ ଜୁନମଣି ରାଭାଙ୍କ ମୃତ୍ୟୁ ସମାଚାର ପାଇଲୁ। ପ୍ରାଥମିକ ତଦନ୍ତ ପରେ ଏହି ମାମଲା ‘ସିଆଇଡି’କୁ ଦିଆଯାଇଥିଲା। ୧୭ ଓ ୧୮ ତାରିଖ ଦିନ ଆମେ ଏ ସଂକ୍ରାନ୍ତରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଅଳ୍ପକେ ସମସ୍ତ କଥା ଅବଗତ କରାଇଥିଲୁ। କେନ୍ଦ୍ରୀୟ ଏଜେନ୍‌ସିକୁ (ସିବିଆଇ) ଜୁନମଣି ରାଭାଙ୍କ ମୃତୁ ଘଟଣାର ତଦନ୍ତ ଭାର ହସ୍ତାନ୍ତର କରିବା ଲାଗି ଗତକାଲି ଆମେ ନିଷ୍ପତ୍ତି ନେଲୁ।

ସେ ଆହୁରି ମଧ୍ୟ କହିଛନ୍ତି, ‘ସିବିଆଇ’ ସହିତ ସମଗ୍ର ମାମଲାର ସମୀକ୍ଷା କରିବା ପରେ ତାଙ୍କୁ ଏହି ମାମଲା ସୁପାରିସ କରିବା ପାଇଁ ମୁଁ ସ୍ଥିର କରିଛି। ଏହି ଜିଲ୍ଲା ସହିତ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀମାନଙ୍କୁ ଆଜିହିଁ ବଦଳି କରାଯିବ ବୋଲି ଆମେ ନିଷ୍ପତ୍ତି ନେଇଛୁ।

ସର୍ବସାଧାରଣଙ୍କ ଦାବି ଓ ଆମ ନିଜ ପୁଲିସ ଅଧିକାରୀମାନଙ୍କ ମଧ୍ୟରୁ ଜଣେ (ଜୁନମଣି) ଜୀବନ ହରାଇଥିବା କାରଣରୁ ଆମେ ଏହି ମାମଲା ‘ସିବିଆଇ’କୁ ହସ୍ତାନ୍ତର କଲୁ। ଏହି ନିଷ୍ପତ୍ତିରେ ଆସାମ ‘ସିଆଇଡି’ର କୌଣସି ଭୂମିକା ନାହିଁ।

ସୂଚନାଯୋଗ୍ୟ, କାଳିଆବର ସବ୍‌ଡିଭିଜନ୍‌ର ଜଖଲାବନ୍ଧା ଥାନା ଅନ୍ତର୍ଗତ ସାରୁଭୁଗିଆ ଗାଁ’ରେ ଦୁର୍ଘଟଣା ଘଟିବା ବେଳେ ‘ଲେଡି ସିଂଘମ୍‌’ ନାମରେ ଲୋକପ୍ରିୟ ଜୁନମଣି ରାଭା ତାଙ୍କ ବ୍ୟକ୍ତିଗତ କାର୍‌ରେ ଏକାକିନୀ ଥିଲେ ଓ ପୁଲିସ ୟୁନିଫର୍ମ ପିନ୍ଧି ନ ଥିଲେ।

ad-week
Leave A Reply

Your email address will not be published.