ହତ୍ୟା ଧମକ ପରେ ବାଗେଶ୍ୱର ବାବାଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

add-all

ନୂଆଦିଲ୍ଲୀ: ପ୍ରସିଦ୍ଧ ଧାର୍ମିକ ପ୍ରବଚକ ତଥା ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କିଛି ସମୟ ପୂର୍ବରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିଲା। ଏନେଇ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଥିବା ବେଳେ କେନ୍ଦ୍ର ସରକାର ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦେଇଛନ୍ତି। ୱାଇ ବର୍ଗର ସୁରକ୍ଷାରେ ଗୋଟିଏ କିମ୍ବା ଦୁଇଟି କମାଣ୍ଡୋଙ୍କ ସମେତ ଆଠ ଜଣ ଯବାନ ରହିଥାନ୍ତି।
ସୂଚନା ମୁତାବକ, ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଛି ମାସ ପୂର୍ବରୁ ତାଙ୍କ ପରିବାର ସହିତ ହତ୍ୟା କରିବାକୁ ଧମକ ମିଳିଥିଲା। ଅମର ସିଂ ନାମକ ଜଣେ ବ୍ୟକ୍ତି ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଦାଦାଙ୍କ ପୁଅକୁ ଧମକପୂର୍ଣ୍ଣ ଫୋନ୍ କରିଥିଲେ। କଲ୍ କରିଥିବା ବ୍ୟକ୍ତି କହିଥିଲେ, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ତାଙ୍କ ପରିବାରର ଅନ୍ତିମ ସଂସ୍କାର କରିବାକୁ ପ୍ରସ୍ତୁତ ରୁହ। ଏହି କଲ୍ ପରେ ପୁଲିସ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା।
ଏଭଳି ଧମକ ମିଳିବା ପରେ ବି ବାବା ବାହାରକୁ ଯିବା ବନ୍ଦ କରିନଥିଲେ। ନିଜ ଶ୍ରଦ୍ଧାଳୁଙ୍କ ପାଇଁ ସେ ଅନେକ ସ୍ଥାନରେ ପ୍ରବଚନ ଦେଉଥିବା ଦେଖି ତାଙ୍କୁ ସୁରକ୍ଷା ଦେବା ନିହାତି ଜରୁରୀ ହୋଇପଡ଼ିଥିଲା। ହତ୍ୟା ଧମକ ପରେ ବି ବିନା ସୁରକ୍ଷାରେ ସେ ଯିବା ଆସିବା କରୁଥିବା ବେଳେ ଏବେ ତାଙ୍କୁ ସୁରକ୍ଷା ମିଳିଛି।

ad-week
Leave A Reply

Your email address will not be published.