‌ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କ ପାଇଁ ‌ଦେବଦୂତ ସାଜିଲେ ଟିନା ଡାବି

youtube

ଜୟପୁର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ପ୍ରବାସୀଙ୍କୁ କରିଥିବା ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଭାବେ କାମ କରୁଥିବା ଆଇଏଏସ୍ ଟିନା ଡାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗିଦେବାକୁ ନିର୍ଦେଶ ଦେଇଥିଲେ। ଜିଲ୍ଳାପାଳଙ୍କ ନିର୍ଦେଶ ପରେ ୫୦ରୁ ଅଧିକ ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି। ସେମାନେ ସରକାରୀ ଜମି ଉପରେ ଅସ୍ଥାୟୀ ଭାବେ ଘର ତିଆରି କରିଥିଲେ। ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଥିଲେ।
ଏହି ଘଟଣା ପରେ ଟିନା ଡାବିଙ୍କୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏଥିସହିତ ଭାଜପା ସମେତ କଂଗ୍ରେସ ନେତା ବି ଏହି ପଦକ୍ଷେପକୁ ବିରୋଧ କରିଥିଲେ।
ତେ‌ବେ ନିକଟରେ ଖବର ଆସିଛି କି ଜୈସଲମେର ଜିଲ୍ଲାର ସାଗର ଗ୍ରାମରେ ସରକାରୀ ଜମିରୁ ବିସ୍ଥାପିତ ହୋଇଥିବା ପାକିସ୍ତାନର ହିନ୍ଦୁ ପ୍ରବାସୀଙ୍କୁ ୪୦ବିଘା ଜମି ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ଏହି ଜମି ସେହିମାନଙ୍କୁ ମିଳିବ ଯେଉଁମାନଙ୍କ ପାଖରେ ଭାରତୀୟ ନାଗରିକତା ଥିବ।
ୟୁଆଇଟି ଅଧିକାରୀଙ୍କ କହିବାନୁସାରେ, ପାଖାପାଖି ୪୦ ବିଘା ଜମି ଉପରେ ୨୫୦ଟି ପରିବାର ବସବାସ କରିବାର ଯୋଜନା ରଖାଯାଇଛି। ତେବେ ଏହି ସୁବିଧା ସେହିମାନେ ପାଇ ପାରିବେ ‌ଯେଉଁମାନଙ୍କୁ ଭାରତୀୟ ନାଗରିକତା ମିଳିଛି।
ତେବେ ଯେଉଁମାନଙ୍କୁ ନାଗରିକତା ମିଳିନାହିଁ ସେମାନଙ୍କ ରେକର୍ଡ ରଖାଯିବ। ନାଗରିକତା ପାଇଁ ପ୍ରୟାସ କରାଯିବ। ଯେମିତି ହିଁ ଭାରତୀୟ ନାଗରିକତା ମିଳିଯିବ, ସେମାନଙ୍କୁ ଜମିର ପଟ୍ଟା ଦେଇ ଦିଆଯିବ। ବର୍ତ୍ତମାନ ୫୦ଟି ପରିବାର ଏହି ନୂଆ ସ୍ଥାନରେ ଘର କରି ରହିପାରିବେ ବୋଲି କୁହାଯାଉଛି।
ପାକିସ୍ତାନ ହିନ୍ଦୁ ପ୍ରବାସୀ ଦୁଃଖ ବୁଝି ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଥିବାରୁ ଟିନା ଡାବିଙ୍କୁ ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କ ପାଇଁ ଦେବଦୂତ ବୋଲି କୁହାଯାଉଛି।

Leave A Reply

Your email address will not be published.