ନବୀକରଣ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର

add-all

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି । ଏହି ପାଠାଗାରଟି ପୁରୁଣା ହୋଇଯାଇଥିବାରୁ, ଏହାର ପୁନରୁଦ୍ଧାର କରାଯାଇ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ। ଏହାସହିତ ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ। ପାଠାଗାର ପରିସରରେ ଥିବା ନୂତନ କୋଠାରେ ଆସବାବପତ୍ର ଓ ବାତାନୁକୂଳ ବ୍ୟବସ୍ଥା କରାଯାଇ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯେଭଳି ସୁବିଧାରେ ଅଧ୍ୟୟନ କରିପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ।

ଲାଇବ୍ରେରୀ ପ୍ରାଙ୍ଗଣର ଲ୍ୟାଣ୍ଡ ସ୍କେପିଂ କରାଯିବ। ତା ସହିତ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ଫୁଡକୋର୍ଟ ଖୋଲାଯିବ ଓ ମିଶନ ଶକ୍ତି ପକ୍ଷରୁ କାଫେଟେରିଆ ମଧ୍ୟ କରାଯିବ । ଏତ୍‌ଦବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ। ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ମାନେ, ମୁଖ୍ୟତଃ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ଲାଇବ୍ରେରୀରେ ପର୍ଯ୍ୟାପ୍ତ କମ୍ପିଟେଟିଭ ମାଗାଜିନ ରଖାଯିବ ଏବଂ ସଂପୂର୍ଣ୍ଣ ଲାଇବ୍ରେରୀକୁ ଆଇଟି ଏନାବଲ୍ଡ ସ୍ମାର୍ଟ ମ୍ୟାନେଜମେଣ୍ଟ ଦ୍ବାରା ପରିଚାଳିତ କରାଯିବ। ଏତ୍‌ଦବ୍ୟତୀତ କ୍ୟାରିୟର କାଉନସେଲିଂ ପାଇଁ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ବ ମାନଙ୍କ ଦ୍ବାରା ମୋଟିଭେସନାଲ ଟକର ଆୟୋଜନ ମଧ୍ୟ ନିୟମିତ ଭାବରେ କରାଯିବ। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିଶେଷ ସହାୟକ ହେବ।

ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀରେ ୱାଇଫାଇ ବ୍ୟବସ୍ଥା ଉପଲ୍‌ବଧ କରାଯିବ। ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ। ସେଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ। ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ। ଏହି କାର୍ଯ୍ୟକ୍ରମଟି ୫-ଟି ଉପକ୍ରମରେ ଓଡ଼ିଶା ଖଣି ନିଗମ ଦ୍ବାରା କାର୍ଯ୍ୟକାରୀ କରାଯିବ। ୫-ଟି ସଚିବଙ୍କ ଗସ୍ତ ସମୟରେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦେଶକ, ସଂସ୍କୃତି ବିଭାଗର ନିର୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.