ଚିତାକୁ ଟ୍ରାକ୍‌ କରୁଥିବା ଟିମକୁ ଡକାୟତ ଭାବି ପ୍ରବଳ ପିଟିଲେ ଗାଁ ଲୋକ

add-all

ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଗୋଟିଏ ଟିମ୍‌କୁ ପ୍ରବଳ ପିଟିଛନ୍ତି ଗାଁ ଲୋକ। ଉଦ୍ୟାନର କର୍ମଚାରୀମାନେ ଚିତାକୁ ଟ୍ରାକ୍‌ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଡକାୟତ ବୋଲି ଭାବି ଶିବପୁରୀ ଜିଲ୍ଲାରେ ଥିବା ଗୋଟିଏ ଗାଁର ଲୋକମାନେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଙ୍ଗଲ ବିଭାଗର ଜଣେ କର୍ମଚାରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।
ଉଦ୍ୟାନର ୪ ଜଣିଆ ଟିମ ଗୋଟିଏ ମାଈ ଚିତା ଆଶାକୁ ଟ୍ରାକ୍‌ କରିବା ପାଇଁ ବୁରାଖେଡା ଗାଁ ନିକଟ ଜଙ୍ଗଲ ପାଖରେ ପହଞ୍ଚିଥିଲେ। ଆଶା ଚିତା ବାଘଙ୍କ ପାଇଁ ସଂରକ୍ଷିତ ଅଞ୍ଚଳ ଡେଇଁ ଚାଲି ଯାଇଥିବାରୁ ତା’ର ଉପସ୍ଥିତି ଜାଣିବା ପାଇଁ ଟିମର ସଦସ୍ୟମାନେ ଯାଇଥିଲେ।
ଭୋର ପ୍ରାୟ ୪ଟାରେ ୪ ଜଣିଆ ଟିମ ଗାଁ ପାଖରେ ବୁଲୁଥିବା ବେଳେ ଗାଁ ଲୋକମାନେ ସେମାନଙ୍କୁ ଦେଖିଥିଲେ। ଏହାପରେ ସେମାନେ ଟିମର ସଦସ୍ୟମାନଙ୍କୁ ଡକାୟତ ଭାବି ପ୍ରଶ୍ନ କରିଥିଲେ। ସେମାନେ ମାଈ ଚିତାକୁ ଟ୍ରାକ୍‌ କରି ଏଠାରେ ପହଞ୍ଚିଥିବା ଗାଁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଗାଁ ଲୋକମାନେ କିଛି ବି ନ ଶୁଣି ସମସ୍ତଙ୍କୁ ଡକାୟତ ଭାବି ଆକ୍ରମଣ କରିଥିଲେ।
ଆକ୍ରମଣରେ ଜଙ୍ଗଲ ବିଭାଗରେ କାମ କରୁଥିବା ପବନ ଅଗ୍ରୱାଲ ଆହତ ହୋଇଛନ୍ତି। ଜଙ୍ଗଲ ବିଭାଗର ଗାଡ଼ିକୁ ମଧ୍ୟ ଗାଁ ଲୋକମାନେ ଭାଙ୍ଗି ଦେଇଛନ୍ତି। ଆକ୍ରମଣ ପରେ ଟିମର ସଦସ୍ୟମାନେ କୁନୋ ଜାତୀୟ ଉଦ୍ୟାନର ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଆଉ ଗୋଟିଏ ଟିମ ପହଞ୍ଚିଥିଲା। ଏହାପରେ ସବୁ କିଛି ସ୍ୱାଭାବିକ ହୋଇଥିଲା।
ଡିଏଫଓ ପ୍ରକାଶ କୁମାର ବର୍ମା କହିଛନ୍ତି, “ଆମର ଚିତା ଟ୍ରାକିଂ ଟିମ୍‌କୁ ଗାଁ ଲୋକମାନେ ଆକ୍ରମଣ କରିଛନ୍ତି। ଜଣେ ଜଙ୍ଗଲ କର୍ମୀ ଆହତ ହୋଇଛନ୍ତି। ଏନେଇ ପୋହାରି ପୁଲିସ୍‌ ଷ୍ଟେସନରେ ଆମେ ଗୋଟିଏ ଏଫଆଇଆର ଦେଇଛୁ।”

ad-week
Leave A Reply

Your email address will not be published.