ଭାରତୀୟ କୁସ୍ତି ଯୋଦ୍ଧାଙ୍କ ସପକ୍ଷରେ UWW, କହିଲା – ୪୫ ଦିନରେ ନିର୍ବାଚନ ନ ହେଲେ ଭାରତ ସସ୍‌ପେଣ୍ଡ

add-all

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡରେସନ ସଭାପତି ବ୍ରିଜ୍ ଭୂଷଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୟୁନାଇଟେଟ୍ ୱାର୍ଲଡ ରେସଲିଂ ଆସୋସିଏସନ( UWW) । ଦୁଇ ଦିନ ପୂର୍ବେ ଆନ୍ଦୋଳନ ବେଳେ ଅଲିମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧାଙ୍କୁ ଦିଲ୍ଲୀ ପୁଲିସ ଉଠାଇ ନେବା ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଶ୍ୱ କୁସ୍ତିର ଏହି ସର୍ବୋଚ୍ଚ ସଙ୍ଗଠନ। ଏପରିକି ୪୫ ଦିନ ଭିତରେ ଭାରତୀୟ କୁସ୍ତି ମହାସଂଘରେ ନିର୍ବାଚନ କରାନଗଲେ ଭାରତକୁ ସସପେଣ୍ଡ କରିବାକୁ ମଧ୍ୟ କଡ଼ା ଚେତାବନୀ ଦେଇଛି।
ନୂଆ ସଂସଦ ଭବନ ଉଦଘାଟନ ବେଳେ କୁସ୍ତି ଯୋଦ୍ଧା ସଂସଦମୁହାଁ ହେଉଥିବା ବେଳେ ଦିଲ୍ଲୀ ପୁଲିସ ସେମାନଙ୍କ କ୍ୟାମ୍ପକୁ ଭାଙ୍ଗିବା ସହ ସେମାନଙ୍କୁ ଧାରଣା ସ୍ଥଳରୁ ଉଠାଇ ନେଇଥିଲା। ଏହାକୁ କଠୋର ଭଷାରେ ନିନ୍ଦା କରିବା ସହ ୟୁନାଇଟେଟ୍ ୱାର୍ଲଡ ରେସଲିଂ ଆସୋସିଏସନ ଏହାର କୈଫିୟତ ମାଗିଛି।
ସେପଟେ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ଶରନ ସିଂ କୌଣସି ଭୁଲ କରି ନ ଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଯଦି ମୁଁ କିଛି ଭୁଲ କରିଛି ତେବେ ମୋତେ ଫାଶି ଦିଆଯାଉ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ଉତ୍ତରପ୍ରଦେଶ ବାରାବାଙ୍କୀରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ସେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ଉପରେ ବର୍ଷିଛନ୍ତି।
ଏଥିସହ ନ୍ୟାୟ ନ ମିଳିଲେ ଖେଳାଳିମାନେ ଗଙ୍ଗାରେ ପଦକ ଭସାଇବାକୁ ଚେତାବନୀ ଦେଇଥିବା ବେଳେ ଏହାଦ୍ୱାରା ନ୍ୟାୟ ମିଳିବନି ବୋଲି ସେ କହିଛନ୍ତି। ଯଦି ମୋ ବିରୁଦ୍ଧରେ ସେମାନଙ୍କ ପାଖରେ କିଛି ପ୍ରମାଣ ଅଛି, ତାହେଲେ ପୁଲିସ ଓ କୋର୍ଟଙ୍କୁ ଦିଅନ୍ତୁ। କୋର୍ଟ କହିଲେ ମୁଁ ଫାଶିଖୁଣ୍ଟରେ ଝୁଲିଯିବି ବୋଲି ବ୍ରିଜ ଭୂଷଣ କହିଛନ୍ତି ।
ଅପରପକ୍ଷେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନକାରୀଙ୍କୁ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଶେଷ ହେବା ଯାଏ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ କହିଛନ୍ତି। ଏଥିସହ ବାରମ୍ବାର ଗୋଲପୋଷ୍ଟ ନ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ଖେଳାଳିମାନେ ଏପରି କିଛି କରିବା ଉଚିତ ନୁହେଁ, ଯେଉଁଥି ପାଇଁ ଖେଳ କିମ୍ବା ଅନ୍ୟ ଖେଳାଳିଙ୍କ କ୍ଷତି ହେବ ବୋଲି ସେ କହିଛନ୍ତି।
ଆନ୍ଦୋଳନ ଆରମ୍ଭରୁ ଖେଳାଳିମାନେ ଏହା ରାଜନୈତିକ ମଞ୍ଚ ନୁହେଁ ବୋଲି ସଫା ସଫା କହିଥିଲେ। ମାତ୍ର ପରେ ବହୁ ରାଜନୈତିକ ଦଳର ନେତାଙ୍କର ସେଠାରେ ଆବିର୍ଭାବ ହେଲା ବୋଲି କହି ଖେଳାଳିଙ୍କୁ ଆକ୍ଷେପ କରିଛନ୍ତି ଅନୁରାଗ ଠାକୁର।
ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀ ପୁଲିସ୍ ଏହାର ତଦନ୍ତ କରୁଛ। ତେଣୁ ତଦନ୍ତ ଶେଷ କରିବାକୁ ସମୟ ଦିଅନ୍ତୁ। ସୁପ୍ରିମକୋର୍ଟ , ପୁଲିସ୍‌ ଓ କ୍ରୀଡ଼ା ମନ୍ତ୍ରାଳୟ ଉପରେ ଭରସା ରଖନ୍ତୁ ବୋଲି ସେ ଖେଳାଳିଙ୍କୁ ଆଶ୍ୱାସନା ଦେଇ କହିଛନ୍ତି।

ad-week
Leave A Reply

Your email address will not be published.