ଜୁଲାଇ ୧ ରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୧ ରେ ଅନୁଷ୍ଠିତ ହେବ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୨। ଏଥିଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ଆଦିରେ ୩୦୭ କେନ୍ଦ୍ର କରାଯାଇଛି। ଏଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିଥିବାରୁ ଦେଢ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ଓଟିଇଟି ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ଓଟିଇଟି ପରୀକ୍ଷା ଦୁଇଟି ବର୍ଗରେ ହେବ। ଓଟିଇଟି- ୧ ଏବଂ ଓଟିଇଟି-୨ ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି-୧ ପରୀକ୍ଷା ସକାଳ ୮ ଟାରୁ ସାଢେ ୧୦ ଟା ପର୍ଯ୍ୟନ୍ତ ଏବଂ ଓଟିଇଟି-୨ ପରୀକ୍ଷା ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାରେ କପି ନିୟନ୍ତ୍ରଣ କରିବା ଲାଗି ଏବଂ ଅନିୟମିତତା ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୬ଟି ସ୍କ୍ୱାଡ୍ ଗଠନ କରାଯାଇଛି। ସେହିପରି ଜିଲ୍ଲାସ୍ତରରେ ଡିଇଓମାନଙ୍କ ଦ୍ୱାରା ପୃଥକ ସ୍କ୍ୱାଡ୍ ଏବଂ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି।

ସୂଚନାଥାଉକି, ପ୍ରଥମଥର ପାଇଁ ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ଏହି ପରୀକ୍ଷାରେ ସୁଯୋଗ ଦିଆଯାଇଛି। ପୂର୍ବରୁ ଏହି ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ। ତେବେ ଉକ୍ତ ଡିଗ୍ରୀଧାରୀଙ୍କୁ ଓଟିଇଟିରେ ସୁଯୋଗ ଦେବା ଲାଗି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବା ପରେ ଗତ ୨୩  ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବୋର୍ଡ କର୍ତ୍ତୃପକ୍ଷ ଜୁଲାଇ ୧ ତାରିଖକୁ ଘୁଞ୍ଚାଇଥିଲେ।

ad-week
Leave A Reply

Your email address will not be published.