
ଭୁବନେଶ୍ୱର: ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ମଙ୍ଗଳବାର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର ବିଧାୟକ ଦଳ ବୈଠକ ଶେଷ ହୋଇଛି। ଅଧିବେଶନରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ଉଭୟ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି।
ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ସତ୍ତ୍ୱେ ସରକାର ଆଗୁଆ ପ୍ରସ୍ତୁତି କରିନଥିଲେ, ଯାହାଫଳରେ ରାଜ୍ୟରେ ଏକ ମନୁଷ୍ୟକୃତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଗୃହରେ ମୋସନ ଅଣାଯାଇଛି ଏବଂ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଏହା ବ୍ୟତୀତ କୋଟିଆରେ ଆନ୍ଧ୍ର ସରକାର ନିର୍ବାଚନ କରୁଥିବା ବେଳେ ଏ ନେଇ କେନ୍ଦ୍ର ସରକାର କାହିଁକି ନିରବ ଅଛନ୍ତି ବୋଲି ଦଳ ପ୍ରଶ୍ନ ଉଠାଇବ।
ସେ ଆହୁରି କହିଛନ୍ତି ରାଜ୍ୟରେ ଚାଷୀଙ୍କୁ ସାର ମିଳୁନଥିବା ବେଳେ କଳାବଜାରୀ ବଢ଼ିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚାଷୀ ଧାନ ଉତ୍ପାଦନ କରିଥିଲେ ମଧ୍ୟ ସରକାର ସମସ୍ତ ଧାନ କିଣୁନାହାନ୍ତି। ଏଥିସହ ‘ଏଗ୍ରି ଟ୍ୟାଗ୍’ ନେଇ ଗୃହରେ ଆଲୋଚନା ହେବା ଦରକାର। ଗତବର୍ଷ ସଂଗୃହୀତ ଚାଉଳ କେନ୍ଦ୍ର ସରକାର ଉଠାଉ ନଥିବା ବେଳେ ତା’ପୂର୍ବ ବର୍ଷର ମଧ୍ୟ ୪୦ ପ୍ରତିଶତ ଚାଉଳ ଉଠିପାରିନାହିଁ। ଏ ନେଇ କେନ୍ଦ୍ର ସରକାର କାହିଁକି ଶୁଣୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିବ। ଖଣି ଓ ଖଣିଜ ସମ୍ପଦ (MMDR) ପ୍ରସଙ୍ଗ ଏବଂ ରାଜ୍ୟର ଜଟିଳ ଆଇନଶୃଙ୍ଖଳା ପରିସ୍ଥିତିକୁ ଗୃହରେ ଉଠାଯିବ। ସରକାର ସହଯୋଗ ମନୋବୃତ୍ତି ନେଇ ଆସିବା ସହ ବିଧାନସଭା ଚଳାଇବା ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରନ୍ତୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
କଂଗ୍ରେସର ଆଭିମୁଖ୍ୟ
ସେହଭଳି ବିଧାନସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ପାଇଁ କଂଗ୍ରେସ ଏକଜୁଟ ଅଛି ଏବଂ ଗୃହରେ ଜନସାଧାରଣଙ୍କ ସମସ୍ୟାକୁ ଜୋରଦାର ଭାବେ ଉପସ୍ଥାପନ କରାଯିବ।
କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପାଇଁ ସର୍ବଦଳୀୟ ଏକତା ଆବଶ୍ୟକ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଆନ୍ଧ୍ରର ଅନୁପ୍ରବେଶକୁ ରୋକିବାରେ ସରକାରଙ୍କ ଆଭିମୁଖ୍ୟ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବ। ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଆଦିବାସୀମାନଙ୍କ ଜଙ୍ଗଲ, ଜମି ଓ ଜଳ ଅଧିକାର ସୁରକ୍ଷା ପ୍ରସଙ୍ଗକୁ ନେଇ ଦଳ ସରକାରଙ୍କୁ ଘେରିବ।
କାଉଣ୍ଟର କରିବାକୁ ବିଜେପିର ପ୍ରସ୍ତୁତି
ଅନ୍ୟପଟେ ବିଧାନସଭା ସୁରୁଖୁରୁରେ ଚାଲିବା ଓ ବିରୋଧୀଙ୍କୁ କିଭଳି କାଉଣ୍ଟର କରାଯିବ ସେନେଇ ବିଜେପି ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ସହ ପ୍ରଭାରୀ ସ୍ବଦେଶ ସିଂଙ୍କ ସମେତ ବିଧାୟକ ଓ ମନ୍ତ୍ରୀମାନେ ଉପସ୍ଥିତ ରହିଥିବା ବେଳେ, ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।
