
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସ୍ଥାନାନ୍ତର ପ୍ରକ୍ରିୟା, ଆଶ୍ରୟସ୍ଥଳୀ ବ୍ୟବସ୍ଥା ଏବଂ ଉଦ୍ଧାରକାରୀ ଦଳ ମୁତୟନ ନେଇ ପ୍ରଶାସନ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି।
ଦିଆଯାଇଥିବା ସୂଚନା ଅନୁସାରେ, ରାଜ୍ୟର ୮ଟି ଜିଲ୍ଲାର ମୋଟ ୮୭ଟି ବ୍ଲକ୍ ଏବଂ ୧,୯୦୨ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ପାଣିପାଗ ସ୍ଥିତି ଓ ସ୍ଥାନୀୟ ବିପଦକୁ ଆକଳନ କରି ମୋଟ ୨,୦୪,୦୭୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧,୨୧,୫୯୭ ଜଣ, ଗଜପତିରେ ୨୫,୦୦୦, ପୁରୀରେ ୨୪,୦୭୬, କନ୍ଧମାଳରେ ୧୦,୨୪୦ ଏବଂ ମାଲକାନଗିରିରେ ୧୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା ହୋଇଛି।
ସେହିଭଳି ନଭେମ୍ବର ୧୭ ତାରିଖ ସୁଦ୍ଧା କନ୍ଧମାଳ ଜିଲ୍ଲାରେ ୨୬୨ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ୮ଟି ଜିଲ୍ଲାରେ ମୋଟ ୩,୩୨୯ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ୨୭୬ ଜଣ ଆଶ୍ରୟ ନେଇଛନ୍ତି। ଗଞ୍ଜାମରେ ସର୍ବାଧିକ ୧,୧୩୯ଟି, ପୁରୀରେ ୫୪୯ଟି, ଗଜପତିରେ ୫୧୮ଟି ଏବଂ କୋରାପୁଟରେ ୫୧୩ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ସମସ୍ତ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ପରିମଳ, ଆଲୋକ, ଚିକିତ୍ସା ସୁବିଧା ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗର୍ଭବତୀ ମହିଳା ଓ ସମ୍ବେଦନଶୀଳ ବର୍ଗଙ୍କ ସୁରକ୍ଷା
ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ଥାନାନ୍ତର ପାଇଁ ମୋଟ ୨,୫୭୩ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ଜଣଙ୍କୁ ଇତିମଧ୍ୟରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥାନାନ୍ତର ସମୟରେ ଗର୍ଭବତୀ ମହିଳା, ଶିଶୁ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଏବଂ ତଳିଆ ତଥା ଭୂସ୍ଖଳନ ପ୍ରବଣ ଅଞ୍ଚଳର ବାସିନ୍ଦାଙ୍କୁ ପ୍ରାଥମିକତା ଦେବାକୁ ପ୍ରଶାସନକୁ କୁହାଯାଇଛି।
ODRAF ଓ NDRF ଟିମ୍ ମୁତୟନ
ଉଦ୍ଧାର କାର୍ଯ୍ୟ ପାଇଁ ମୋଟ ୭୪ଟି ସ୍ୱତନ୍ତ୍ର ଟିମ୍ (୬୦ଟି ଓଡ୍ରାଫ୍ ଏବଂ ୧୪ଟି ଏନଡିଆରଏଫ୍) ପ୍ରସ୍ତୁତ ରଖାଯାଇଛି। ଏଥିମଧ୍ୟରୁ ୪୨ଟି ଓଡ୍ରାଫ୍ ଓ ୧୧ଟି ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହେବାକୁ ଥିବା ବେଳେ ବାକି ଟିମକୁ ସଂରକ୍ଷିତ ରଖାଯାଇଛି।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ଟି ଟିମ୍ ଏବଂ ଗଜପତିରେ ୭ଟି ଟିମ୍ ମୁତୟନ କରାଯିବ। ଏହା ବ୍ୟତୀତ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଉଦ୍ଧାରକାରୀ ଦଳ ମୁତୟନ ହେବେ।
ବିଭିନ୍ନ ବିଭାଗକୁ ଜରୁରୀକାଳୀନ ନିର୍ଦ୍ଦେଶ
ଜଳସମ୍ପଦ ବିଭାଗକୁ ଜଳଭଣ୍ଡାରର ଜଳସ୍ତର, ନଦୀ ଏବଂ ଦୁର୍ବଳ ନଦୀବନ୍ଧ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ଓ ସେତୁ ସଫା ରଖିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ, ଶକ୍ତି, ଟେଲିକମ୍ ଏବଂ ଖାଦ୍ୟ ଯୋଗାଣ ବିଭାଗକୁ ଜରୁରୀକାଳୀନ କର୍ମଚାରୀ, ସାମଗ୍ରୀ ଓ ବିକଳ୍ପ ବ୍ୟବସ୍ଥା ମହଜୁଦ ରଖିବାକୁ କୁହାଯାଇଛି।
ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକ ପାଇଁ ଓରସାକ୍ (ORSAC) ଦ୍ୱାରା ଜିଆଇଏସ୍ (GIS) ଆଧାରିତ ମାନଚିତ୍ର ପ୍ରସ୍ତୁତ କରାଯାଉଛି।
ଟେଲିକମ୍ ନେଟୱାର୍କ ସୁରକ୍ଷିତ ରଖିବା ଏବଂ ‘ସେଲ୍-ଅନ୍-ହ୍ୱିଲ୍ସ’ (Cell-on-Wheels) ଭ୍ରାମ୍ୟମାଣ ୟୁନିଟ୍ ମୁତୟନ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି।
