ଡେବ୍ରିଗଡ଼ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର ଯୋଜନା ପଣ୍ଡ : ୪ ଶିକାରୀ ଗିରଫ

kalipuja

ବୁର୍ଲା : ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଯୋଜନା ଫେଲ ମାରିଛି।  ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ଫାଶ ଓ ଜାଲ ବିଛାଇବାକୁ ଯୋଜନା କରୁଥିବା ଏକ ଗୋଷ୍ଠୀ ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂତ୍ରରୁ ଖବର ପାଇ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ବନ ବିଭାଗ ଅଧିକାରୀମାନେ ସନ୍ଦିଗ୍ଧଙ୍କ ଘର ଏବଂ ଅଭୟାରଣ୍ୟ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଚଢଉ କରି ୪ ଜଣଙ୍କୁ ଗିରଫ କରିଛନ୍ତି।  ଗିରଫ ଅଭିଯୁକ୍ତମାନେ କିଶୋର ଖମାରୀ (୪୬ ବର୍ଷ), ହୀରାଧର ଭୁଏ (୪୨ ବର୍ଷ), ଆଶିଷ ଭୁଏ (୨୯ ବର୍ଷ) ଏବଂ ଜିତେନ୍ଦ୍ର ଭୁଏ (୨୫ ବର୍ଷ) ବୋଲି ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂତ୍ରରୁ ସୂଚନା ମିଳିଛି। ଅଭିଯାନ ସମୟରେ ସେମାନଙ୍କ ନିକଟରୁ ୫ କେଜି ବାଇଣ୍ଡିଂ ତାର, ଶିକାର ପାଇଁ ବ୍ୟବହୃତ ଫାଶ ଓ ଯନ୍ତା, ଗୋଟିଏ କୁରାଢ଼ି, ଗୋଟିଏ ମୋଟରସାଇକେଲ ଏବଂ ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି।

ବନ ବିଭାଗ ସୂଚନା ଅନୁସାରେ, ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଏକ ଗୋଷ୍ଠୀ ଫାଶ ଓ ଯନ୍ତା ବିଛାଇବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ଗତ ୧୫ ତାରିଖରେ ଲଖନପୁର ବନ୍ୟପ୍ରାଣୀ ରେଞ୍ଜ ଅଧୀନ ୪ଟି ଗ୍ରାମ ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଏବଂ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଶିକାର ସାମଗ୍ରୀ ଠାବ କରିବା ପାଇଁ ମେଟାଲ ଡିଟେକ୍ଟର ବ୍ୟବହାର କରାଯାଇଥିଲା। ବରଗଡ଼ ପୁଲିସ ସହାୟତାରେ ମୋବାଇଲ ଫୋନ୍‌ ଟ୍ରାକିଂ କରି ଜଣେ ପ୍ରମୁଖ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ଗିରଫ ୪ ଜଣଙ୍କୁ ୧୬ ତାରିଖରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ସେପଟେ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍‌ଓଙ୍କ କହିବାନୁଯାୟୀ ବନ୍ୟପ୍ରାଣୀ ସୁରକ୍ଷା କେବଳ ଶିକାରୀଙ୍କୁ ଗିରଫ କରିବା କିମ୍ବା ଅପରାଧ ଘଟିବା ପରେ ପଦକ୍ଷେପ ନେବାରେ ସୀମିତ ନୁହେଁ। ବନ୍ୟଜନ୍ତୁଙ୍କ କ୍ଷତି ହେବା ପୂର୍ବରୁ ବିପଦକୁ ରୋକିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ବନ୍ୟଜନ୍ତୁ ଯେପରି ସୁରକ୍ଷିତ ଭାବେ ବିଚରଣ, ଖାଦ୍ୟ ସଂଗ୍ରହ ଓ ବଂଶବୃଦ୍ଧି କରିପାରିବେ, ସେଭଳି ବାସସ୍ଥଳୀ ସୁରକ୍ଷିତ ରଖିବାକୁ ପ୍ରାଥମିକତା ଦିଆଯାଉଛି। ଏବଂ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.