ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ ପରିବର୍ତ୍ତେ ଦିଆଗଲା ମୁଢି

add-all

ବାରିପଦା: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଗଲା ମୁଢି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବ୍ରହ୍ମପୁର ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାଲି ସହ ମୁଢି ଦିଆଯାଇଛି। ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ (ଏମଡିଏମ) ଯୋଜନାରେ ଭାତ ବଦଳରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମୁଢି।

ଏହି ଘଟଣାକୁ ନେଇ ଅଭିଭାବକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାତ ପରିବର୍ତ୍ତେ ମୁଢି ଦିଆଯାଇଛି ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲାରେ।

ମିଳିଥିବା ସୂଚନା ଅନୁୟାୟୀ, ଶୁକ୍ରବାର ଓ ଶନିବାର ଛାତ୍ରଛାତ୍ରୀଙ୍କୁ ମୁଢି ଦିଆଯାଇଥିଲା। ଶନିବାର ଚାଉଳ ସ୍କୁଲରେ ପହଞ୍ଚିଥିଲେ ମଧ୍ୟ ଜଣେ ଶିକ୍ଷକଙ୍କ ନିର୍ଦ୍ଦେଶରେ ଭାତ ନଦେଇ ମୁଢି ଦିଆଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ମଧ୍ୟାହ୍ନ ଭୋଜନରେ ଭାତ, ତରକାରୀ, ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ବିଦ୍ୟାଳୟର ସମ୍ପୃକ୍ତ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ବିଭ୍ରାଟ ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ଚାଉଳ ଶେଷ ହୋଇଗଲେ ପ୍ରଧାନ ଶିକ୍ଷକ ବିକଳ୍ପ ବ୍ୟବସ୍ଥା କରିବା କଥା। ଚାଉଳ ଷ୍ଟକ୍ ସରିଗଲେ ପ୍ରଧାନ ଶିକ୍ଷକ ମଧ୍ୟ ଖବର ଦେବା ଉଚିତ୍ ଥିଲା ବୋଲି ବିଇଓ ମାଳତୀ ଟୁଡୁ କହିଛନ୍ତି।

ad-week
Leave A Reply

Your email address will not be published.