ୟୁନିଫର୍ମ ସିଭିଲ କୋର୍ଡ: ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଜରୁରୀ ବୈଠକ, ସର୍ତ୍ତ ମାନିଲେ ଆପ୍‌ ଦେବ ସମର୍ଥନ

add-all

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୟୁନିଫର୍ମ ସିଭିଲ୍ କୋର୍ଡ(ୟୁସିସି) ବା ସମାନ ନାଗରିକ ସଂହିତା ଅଣାଯିବ ପରେ ଆନନ-ଫାନନରେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗତରାତିରେ ଏକ ଜରୁରୀ ବୈଠକ ହୋଇଯାଇଛି। ଏହି ବୈଠକ ପ୍ରାୟ ୩ ଘଣ୍ଟା ଚାଲିଥିଲା। ବୈଠକରେ ଏବାବଦରେ ବହୁ ସମୟ ଅଲୋଚନା କରାଯାଇଥିବା ବେଳେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ସହ ଜଡିତ ଓକିଲ ଉପସ୍ଥିତ ରହି ମତ ଉପସ୍ଥାପିତ କରିଥିଲେ।
ସେହିପରି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ରଖିଥିବା ମତ ଓ ବିରୋଧୀ ଦଳମାନେ ରଖୁଥିବା ମତ ଉପରେ ମଧ୍ୟ ଅଲୋଚନା ହୋଇଛି। ସମାନ ନାଗରିକ ସଂହିତା ବାବଦରେ ସଂସଦରେ ଅଲୋଚନା ନିମନ୍ତେ ସ୍ୱର ଉଠାଇବାକୁ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ନିଷ୍ପତ୍ତି ନେଇଛି।
ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏବାବଦରେ ନିଜସ୍ୱ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଡ୍ରାଫ୍ଟ ପ୍ରସ୍ତୁତ ସରିବା ପରେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ସଦସ୍ୟମାନେ ତା’ ସହ ଜଡ଼ିତ ଆୟୋଗର ଅଧ୍ୟକ୍ଷଙ୍କୁ ଭେଟିବେ। ଆୟୋଗ ଅଧ୍ୟକ୍ଷଙ୍କୁ ଏହି ଡ୍ରାଫ୍ଟ ଦେବେ।
ସେପଟେ ଆମ୍ ଅଦ୍‌ମୀ ପାର୍ଟି(ଆପ୍‌) ଏହି ୟୁନିଫର୍ମ ସିଭିଲ୍‌ କୋର୍ଡକୁ ସମର୍ଥନ କରିଛି। ହେଲେ ଏଥିପାଇଁ ‘ଏକ ନୀତି’ ରହିବା ଦରକାର ବୋଲି ସର୍ତ୍ତ ରଖିଛି। ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ୟୁନିଫର୍ମ ସିଭିଲ୍‌ କୋର୍ଡକୁ ନେଇ ସମାଲୋଚନା କରାଯାଉଥିବା ଆପ୍‌ ସମର୍ଥନ ଦେବା ଅଲୋଚନାର ବିଷୟ ହୋଇଛି। ୟୁନିଫର୍ମ ସିଭିଲ୍‌ କୋର୍ଡକୁ ଲାଗୁ କରିବା ପୂର୍ବରୁ ଲୋକ, ଧାର୍ମିକ ଅନୁଷ୍ଠାନ ଓ ରାଜନୈତିକ ଦଳମାନଙ୍କ ମତ ନିଆଯିବା ଉଚିତ୍ ବୋଲି ଆପ୍‌ ନେତା ସନ୍ଦିପ ପାଠକ୍‌ କହିଛନ୍ତି। ସେ ସମାଲୋଚନା କରି କହିଛନ୍ତି, ନିର୍ବାଚନ ପୂର୍ବରୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଆଣି ପ୍ରଧାନମନ୍ତ୍ରୀ ଦଳୀୟ ନୀତିକୁ ପଦାରେ ପକାଇଛନ୍ତି। ଚଳିତ ବର୍ଷ ପରେପରେ ୫ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଲୋକଙ୍କ ଭିତରେ ଏକ ଦ୍ୱନ୍ଦ୍ୱ ଓ ବିଭାଜନ ସୃଷ୍ଟି କରି ଅଲୋଚନାରେ ରହିବା ନିମନ୍ତେ ବିଜେପି ୟୁନିଫର୍ମ ସିଭିଲ୍‌ କୋର୍ଡ ପ୍ରସଙ୍ଗ ଉଠାଇଛି। ଏହି ପ୍ରସଙ୍ଗକୁ ସମାଧାନ କରିବା କିମ୍ବା ଲାଗୁ କରିବା ପାଇଁ ବିଜେପିର ଆଗ୍ରହ ନ ଥିବା ପାଠକ୍‌ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ସମେତ, ଡିଏମ୍‌କେ, ଏଆଇଏମ୍‌ଆଇଏମ୍‌ ପ୍ରମୁଖ ବିଭିନ୍ନ ଦଳ ୟୁନିଫର୍ମ ସିଭିଲ୍‌ କୋର୍ଡକୁ ନେଇ ବିଜେପି ବିଭାଜନ ରାଜନୀତି କରୁଛି ବୋଲି ଅଭିଯୋଗ କରିଆସୁଛି।
ସୂଚନା ଥାଉକି, ୟୁନିଫର୍ମ ସିଭିଲ୍‌ କୋର୍ଡକୁ ନେଇ ମୋଦି କହିଥିଲେ ଯେ, ଏହାକୁ କିଛି ଲୋକ ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅପବ୍ୟବହାର କରି ଅନ୍ୟକୁ ପ୍ରରୋଚନା କରୁଛନ୍ତି। ୟୁନିଫର୍ମ ସିଭିଲ୍‌ କୋର୍ଡ ଦ୍ୱାରା ଦେଶର ସମସ୍ତ ନାଗରିକଙ୍କ ନିମନ୍ତେ ସମାନ ଆଇନ ବ୍ୟବସ୍ଥା ରହିବ। ଯାହା ଧର୍ମ ଆଧାରିତ ହେବନି।

ad-week
Leave A Reply

Your email address will not be published.