ଏକାମ୍ର କ୍ଷେତ୍ର ବିକାଶକୁ ବିରୋଧ କରୁଥିବା ବିଜେପି ନେତାଙ୍କୁ କ୍ଷମା ଦେବେନି ଓଡ଼ିଶାବାସୀ: ବିଜେଡି

add-all

ଭୁବନେଶ୍ୱର: ଆଜି ଶେଷ ହେବ ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ । ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ଏକାମ୍ର ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିରୋଧୀ ବିଜେଡି-ବିଜେପି ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ବିକାଶ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଏକ ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ମାତ୍ର ଓଡ଼ିଶା ବିଜେପିର ନେତାମାନେ ଅସହିଷ୍ଣ ହୋଇ ଏହାକୁ ବିରୋଧ କରୁଥିବାରୁ ବିଜୁ ଜନତା ଦଳ ପକ୍ଷରୁ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି, ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ କେମିତି ଅତ୍ୟନ୍ତ ତଳ ସ୍ତରକୁ ଯାଇ ଜଣେ କେନ୍ଦ୍ର ମନ୍ତ୍ରୀ ଏବଂ ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଷଡ଼ଯନ୍ତ୍ର କରିଥିଲେ ତାହା ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି। କିନ୍ତୁ ମହାପ୍ରଭୁଙ୍କ ଇଚ୍ଛା ଆଗରେ ସେମାନଙ୍କର ଏହି ଷଡ଼ଯନ୍ତ୍ର ଫେଲ୍ ମାରିଥିଲା।

ଲେନିନ ମହାନ୍ତି କହିଛନ୍ତି, ଆଜି ସାରା ଓଡ଼ିଶାରେ ଯେତେବେଳେ କୋଟି କୋଟି ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ବିକାଶ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ବାଗତ କରୁଛନ୍ତି, ପୁଣିଥରେ ଓଡ଼ିଶା ବିଜେପି ଏହାକୁ ନେଇ ନକାରାତ୍ମକ ରାଜନୀତି ଆରମ୍ଭ କରିଦେଇଛି। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶା ବିଜେପିର ଏହି ନେତାମାନେ ଏକାମ୍ର କ୍ଷେତ୍ରର ବିକାଶକୁ ସହିପାରୁ ନାହାନ୍ତି।

ଡ. ମହାନ୍ତି ଆହୁରି କହିଛନ୍ତି, ଆଜି ନିଜର ବଡ଼ ହୃଦୟ ଦେଖାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳମତ ନିର୍ବିଶେଷରେ ସବୁ ନେତାମାନଙ୍କୁ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ମାତ୍ର ସେମାନେ ଜାଣିଶୁଣି ଏହି ଉତ୍ସବରେ ସହଭାଗୀ ହେବାକୁ ଆସିଲେ ନାହିଁ। ଓଲଟି ହୀନ ରାଜନୀତି କରିବା ଲାଗି ଏହାକୁ ବି ବିରୋଧ କଲେ। ଏକାମ୍ର ପ୍ରକଳ୍ପକୁ ବିରୋଧ କରି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଯେଉଁଭଳି ନିମ୍ନ ରୁଚିର ମନ୍ତବ୍ୟ ଦେଇଛନ୍ତି, ତାହା ଦେଖି ଆମକୁ ହସ ଏବଂ ଦୟା ଲାଗୁଛି। ଓଡ଼ିଶାର ବିକାଶକୁ କିଏ ବିରୋଧ କରୁଛି, ତାହା ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି। ସେହି କାରଣରୁ ଓଡ଼ିଶାରେ ବିଜେପି ସବୁବେଳେ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେଉଛି ବୋଲି ସେ କହିଛନ୍ତି  ।

ad-week
Leave A Reply

Your email address will not be published.