ଯୋଡ଼ି ହେଲା କଟା ହାତ, ସଫଳ ଭାବେ ପ୍ରତିରୋପଣ କଲେ ବଡ଼ ମେଡିକାଲର ଡାକ୍ତର

add-all

ଭୁବନେଶ୍ୱର: କଟକ ଏସସିବି ମେଡିକାଲର ଏକ ଡାକ୍ତରୀ ଦଳ ବାଲେଶ୍ୱର ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକଙ୍କ କଟା ହାତକୁ ସଫଳତାର ସହ ଯୋଡ଼ିଛନ୍ତି। ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ପ୍ଲାଷ୍ଟିକ ସର୍ଜରୀ, ଅର୍ଥୋପେଡିକ, ନିଶ୍ଚେତକ ବା ଆନାସ୍ତେସିଆ ବିଭାଗର ଡାକ୍ତରମାନେ ସାମିଲ ହୋଇଥିଲେ।

ଅସ୍ତ୍ରୋପଚାରର ଏକ ସପ୍ତାହ ପୂର୍ବରୁ ଯୁବକ ଜଣଙ୍କ ଆକ୍ରମଣର ଶିକାର ହେବା ପରେ ହାତ କଟିଯାଇଥିଲା। ଆକ୍ରମଣର ୪ ଘଣ୍ଟା ପରେ ଯୁବକଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା।

ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି ଯେ, ଅତ୍ୟଧିକ ରକ୍ତ ବାହାରିଯିବା ଯୋଗୁଁ ରିପ୍ଲାଣ୍ଟ ସର୍ଜରୀ ସବୁବେଳେ ଚ୍ୟାଲେଞ୍ଜିଂ। ରୋଗୀଙ୍କ ଅବସ୍ଥାକୁ ସ୍ଥିର ରଖିବା ମଧ୍ୟ ନିହାତି ଜରୁରୀ। ଆଠ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ତିନିଟି ଯାକ ବିଭାଗକୁ ସାମିଲ କରାଯାଇଥିଲା।

ଡାକ୍ତରମାନେ କହିଥିଲେ ଯେ ଯୋଡ଼ିବା ଏହି ଅପରେସନରେ ରୋଗୀର ହାଡ ଛୋଟ କରାଯାଇ ନାହିଁ। ପ୍ୟାଚ ପକାଯାଇ ରକ୍ତନଳୀ ବଡ କରାଯାଇଛି। ଏହାଦ୍ୱାରା ପୂର୍ବଭଳି ରୋଗୀ ତାଙ୍କ ହାତକୁ ପରିଚାଳନା କରିବ। ଏହି ଅପରେସନ ଅଧିକ ପରିଶ୍ରମ ଥିଲା। ଯଦି ହାଡ ଛୋଟ ହୋଇଥାନ୍ତା ତାହାଲେ କେବଳ ଆଙ୍ଗୁଠି ବୁଲିଥାନ୍ତା ହେଲେ ଟିକେ ଅଧିକ ପରିଶ୍ରମ କରାଯାଇ ହାତ ଟିକୁ ସ୍ବାଭାବିକ କରିବାକୁ ପ୍ରୟାସ କରାଯାଇଛି। ଶରୀରର ଅନ୍ୟ ଅଂଶରୁ ଶିରାପ୍ରଶିରାକୁ ଗ୍ରାଫ୍ଟିଂ କରି ଏପରି କରାଯାଇଛି । ଏବେ ରୋଗୀଙ୍କ ହାତ କିଭଳି କାମ କରୁଛି ତାହା ଏବେ ଦେଖିବାକୁ ବାକି ରହିଲା।

ଏବେ ଯୁବକ ଜଣକ ସୁସ୍ଥ ଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ଗତ ୪ରୁ ୫ ବର୍ଷ ମଧ୍ୟରେ ଏସସିବିରେ ଏହା ଅଷ୍ଟମ ରିପ୍ଲାଣ୍ଟ ଅସ୍ତ୍ରୋପଚାର ହୋଇଥିବା ବେଳେ ଗୋଟିଏ ଅସ୍ତ୍ରୋପଚାରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅସ୍ତ୍ରୋପଚାର ସଫଳ ହୋଇଛି। ଏସସିବିର ଡାକ୍ତରମାନଙ୍କ ଏହା ଏକ ଉଲ୍ଲେଖନୀୟ ସଫଳତା ହୋଇଥିବା ବେଳେ ସେମାନଙ୍କ ଦକ୍ଷତା ଓ ନିଷ୍ଠାର ଏହା ଏକ ପ୍ରମାଣ।

ad-week
Leave A Reply

Your email address will not be published.