ଦିଲ୍ଲୀ ହାଇକୋର୍ଟରେ ନିରାଶ ହେଲେ ମନୀଷ ସିସୋଦିଆ

add-all

ନୂଆଦିଲ୍ଲୀ : ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ପୁଣି ଝଟକା। ସେ ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହା ଅଗ୍ରାହ୍ୟ ହୋଇଯାଇଛି। ବର୍ତ୍ତମାନ ସ୍ଥିତିରେ ସିସୋଦିଆଙ୍କୁ ଜାମିନ ଦେବା ଠିକ୍‌ ହେବ ନାହିଁ ବୋଲି କୋର୍ଟ କହିଛନ୍ତି।
ଘଟଣାର ସହ ଅଭିଯୁକ୍ତ ଅଭିଷେକ ବୋଇନପାଲ୍ଲୀ, ବିନୟ ବାବୁ ଓ ବିଜୟ ନାୟରଙ୍କୁ ମଧ୍ୟ କୋର୍ଟ ଜାମିନ ଦେଇ ନାହାନ୍ତି। ଇଡି ଏମାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଗିରଫ କରିଥିଲା।
ଫେବୃଆରୀ ୨୬ରେ ପ୍ରଥମେ ସିବିଆଇ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
ସେ ଜେଲରେ ଥିବା ବେଳେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କୁ ତିହାର ଜେଲରେ ହିଁ ଜେରା କରିଥିଲା। ୬ ଘଣ୍ଟାର ଜେରା ପରେ ତାଙ୍କୁ ମାର୍ଚ୍ଚ ୯ରେ ବଧିବଦ୍ଧ ଭାବେ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି।
୨୦୨୧ ନଭେମ୍ବରରେ ଆପ୍‌ ସରକାର ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ତେବେ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବାରୁ ୨୦୨୨ ସେପ୍ଟେମ୍ବରରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ସିବିଆଇ ଓ ଇଡି ସେବେଠାରୁ ଏହାର ତଦନ୍ତ କରୁଛନ୍ତି।

ad-week
Leave A Reply

Your email address will not be published.