ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତି ସଂସ୍ଥା ମୁଖ୍ୟ ବ୍ରିଜଭୂଷଣଙ୍କୁ କୋର୍ଟ ସମନ

add-all

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍‌ ଆଭେନ୍ୟୁ କୋର୍ଟକୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି।

ଯୌନ ନିର୍ଯାତନା, ଅପରାଧିକ ଧମକ ଏବଂ ପିଛା କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜୁନ୍‌ ୧୫ ତାରିଖରେ ୬ ଥର ସାଂସଦ ଥିବା ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍‌ ଏହି ଚାର୍ଜସିଟ୍‌ ଦାଖଲ କରିଥିଲା।

ଏହି ମାମଲା ବ୍ୟତୀତ ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଶ୍ରୀ ସିଂହଙ୍କ ବିରୋଧରେ ଆଉ ଏକ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା, ଯାହା କି ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ରୁଜୁ ହୋଇଥିଲା। ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ସେ ଥିଲେ।

ବ୍ରିଜଭୂଷଣ ଶରଣ ସିଂହ ଯୌନ ଶୋଷଣର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ତେବେ, ବର୍ତ୍ତମାନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଅନେକ ଅଲିମ୍ପିକ୍‌ ଏବଂ ଏସୀୟ କ୍ରୀଡ଼ା ପଦକ ବିଜେତାଙ୍କ ସମେତ କୁସ୍ତିଯୋଦ୍ଧା ଗତ ଜାନୁଆରିରେ ଶ୍ରୀ ସିଂହଙ୍କ ବିରୋଧରେ ଧାରଣା ଆରମ୍ଭ କରିଥିଲେ ଏବଂ ପରେ ଏପ୍ରିଲରେ କାର୍ଯ୍ୟାନୁଷ୍ଠାନ ନ ହେବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.