ବାପାଙ୍କ ହତ୍ୟାର ୧୩ ବର୍ଷ ପରେ ପ୍ରତିଶୋଧ ନେଇ ୨ ଯୁବକ ଗିରଫ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଗଡ଼ମା ଗାଁର ମହେଶ୍ୱର ମାଝୀଙ୍କ ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଗଡ଼ମା ଗାଁର କାଡ଼ମ୍ବାସା ପାଟମାଝୀ ଓ ସୁରେନ୍ଦ୍ର ପାଟମାଝୀ।

ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ୨୦୧୦ ମସିହାରେ କାଡ଼ମ୍ବାସା ଓ ସୁରେନ୍ଦ୍ରଙ୍କ ବାପା କାମ୍ବୀ ପାଟମାଝୀଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଗଡ଼ମା ଗ୍ରାମବାସୀଙ୍କ ସମୂହ ଉପସ୍ଥିତିରେ ଗଳା କାଟି ହତ୍ୟା କରି ପୋଡ଼ି ଦିଆଯାଇଥିଲା। ସେହି ସମୟରେ ମହେଶ୍ୱର ମାଝୀ ଗାଁର ମୁଖିଆ ଥିଲେ। ସେହି ଦିନଠାରୁ ମହେଶ୍ୱର ମାଝୀଙ୍କ ଉପରେ ରାଗ ରଖିଥିଲେ କାଡ଼ମ୍ବାସା ଓ ସୁରେନ୍ଦ୍ର। ସେମାନେ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ପଣ କରିଥିଲେ।

ଉକ୍ତ ଘଟଣାର ୧୩ ବର୍ଷ ପରେ ଗତ ୨ ତାରିଖ ରାତିରେ ମହେଶ୍ୱରଙ୍କୁ ହତ୍ୟା କରିଥିଲେ କାଡ଼ମ୍ବାସା ଓ ସୁରେନ୍ଦ୍ର। ଛୁରୀରେ ସେମାନେ ମହେଶ୍ୱରଙ୍କ ଗଳା କାଟି ଦେଇଥିଲେ। ମହେଶ୍ୱର ଶୌଚ ହେବାକୁ ଯାଉଥିବା ବେଳେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ହତ୍ୟା କରିଥିଲେ।

ମହେଶ୍ୱରର ପୁଅ ସାନୁରଞ୍ଜନ ଘଟଣା ସଂପର୍କରେ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ। ତଦନ୍ତ ବେଳେ ପୁଲିସ ଏହି ଘଟଣାରେ କାଡ଼ମ୍ବାସା ଓ ସୁରେନ୍ଦ୍ରଙ୍କ ହାତ ଥିବା ଜାଣିବାକୁ ପାଇଥିଲେ। ପରେ ଉଭୟଙ୍କୁ ପୁଲିସ ଗିରଫ କରିଥିଲା।

ad-week
Leave A Reply

Your email address will not be published.