ରାଜ୍ୟର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି

add-all

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରବାହ ସ୍ୱାଭାବିକ ସ୍ଥିତିରେ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ୧ ପ୍ରତିଶତ ଅଧିକ ରହିଛି।

ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି (ମଙ୍ଗଳବାର) ରାଜସ୍ଥାନର ଜଶେଲମେରରୁ ବାହାରି ସିକର, ଓରାଇ, ସୁଲତାନପୁର, ପାଟନା ଏବଂ ପଶ୍ଚିମବଙ୍ଗର ମାଲଦା ଦେଇ ପୂର୍ବଦିଗରେ ଅରୁଣାଚଳ-ପ୍ରଦେଶ ଯାଏଁ ଲମ୍ବିଛି ଏବଂ ଏହା ବାୟୁମଣ୍ଡଳରେ ୦.୯ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାମଧ୍ୟରେ, ଅର୍ଥାତ୍‌ ୧୨ ଜୁଲାଇ, ବୁଧବାର ଅପରାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୬ଟି ଜିଲ୍ଲାରେ ଏହି ସମୟ ଅବଧି ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏପରିକି ସ୍ଥଳ ବିଶେଷରେ ବର୍ଷାର ପରିମାଣ ୭ରୁ ୧୧ ମିମି ପର୍ଯ୍ୟନ୍ତ ମଧ୍ୟ ହୋଇପାରେ।

ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ମଙ୍ଗଳବାର) ସକାଳୁ ଆକାଶ ଆଂଶିକ ମେଘାଛନ୍ନ ରହିବା ସହ ତୁହାକୁ ତୁହା ବର୍ଷା ଲାଗି ରହିଛି। ତେବେ, ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

ad-week
Leave A Reply

Your email address will not be published.