ଦିଲ୍ଲୀରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ, ଫ୍ଲାଏ ଓଭର ତଳୁ କଳା ପଲିଥିନରେ ମିଳିଲା ଯୁବତୀଙ୍କ ଖଣ୍ଡ ଖଣ୍ଡ ମୃତଦେହ

add-all

ନୂଆଦିଲ୍ଲୀ :ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ରାଜଧାନୀର ଗୀତା କଲୋନୀ ଫ୍ଲାଏ ଓଭର ତଳୁ ଜଣେ ଯୁବତୀଙ୍କର ଖଣ୍ଡ ଖଣ୍ଡ ମୃତଦେହ ମିଳିଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳ ୯ଟାରେ ଗୀତା କଲୋନୀ ଫ୍ଲାଏ ଓଭର ତଳେ ଜଣେ ଯୁବତୀଙ୍କ ଶରୀରର ୭-୮ ଖଣ୍ଡ ଅଂଶ ପଡ଼ିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ପୋଲିସ ସନ୍ଦେହ କରୁଛି କି, ଯୁବତୀଙ୍କ ଶରୀରର ଅନ୍ୟାନ୍ୟ ଅଂଶ ପାଖ ଜଙ୍ଗଲିଆ ସ୍ଥାନରୁ ମିଳିପାରେ। ଏଥିଯୋଗୁ ଆଖପାଖ ଅଞ୍ଚଳରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଯଦିଓ ମୃତଦେହ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ନ ଥିବା ପୋଲିସ କହିଛି।

ସେଣ୍ଟ୍ରାଲ ରେଞ୍ଜର ଯୁଗ୍ମ ପୋଲିସ କମିଶନର ପରମାଦିତ୍ୟ କହିଛନ୍ତି ଯେ ବୁଧବାର ସକାଳେ ଦୁଇଟି କଳା ପଲିଥିନ ବ୍ୟାଗ ମିଳିଥିଲା। ଗୋଟିଏ ପଲିଥିନରୁ ମୁଣ୍ଡ ଏବଂ ଅନ୍ୟଟିରୁ ମୃତ ଶରୀରର କିଛି ଖଣ୍ଡ ଅଂଶ ମିଳିଥିଲା।

ମୁଣ୍ଡରେ ଲମ୍ବା କେଶ ଥିବାରୁ ପୋଲିସ ଏହାକୁ ମହିଳାଙ୍କ ଶବ ବୋଲି ଅନୁମାନ କରୁଛି। ମୃତଶରୀରର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ କାହାର ଶବ ବୋଲି ଏହା ଚିହ୍ନଟ ହୋଇପାରୁ ନାହିଁ। ସେପଟେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ad-week
Leave A Reply

Your email address will not be published.