ଟମାଟୋ ପାଇଁ ସ୍ୱାମୀଙ୍କୁ ଛାଡ଼ି ପଳାଇଲେ ସ୍ତ୍ରୀ

add-all

ଶହଡ଼ୋଲ୍‌: ମହଙ୍ଗା ବଜାରରେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍‌ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସହିତ କଳହ କରି ଘରଛାଡ଼ି ଚାଲିଯାଇଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ‘ଟିଫିନ୍‌ ସର୍ଭିସ୍‌’ ଚଳାଉଥିବା ସଞ୍ଜୀବ ବର୍ମନ୍‌ ନାମରେ ଜଣେ ବ୍ୟକ୍ତି କେଇ ଦିନ ତଳେ ନିରାମିଷ ତରକାରି ରାନ୍ଧିବା ବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ବ୍ୟବହାର କରିଥିଲେ। ଏ କଥା ଜାଣିବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଲା।

ବର୍ମନ୍‌ କହନ୍ତି, ବିନା ପରାମର୍ଶରେ ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ଭୀଷଣ ରାଗିଗଲେ। ଏଇ କଥାରୁ ଯୁକ୍ତିତର୍କ, ତା’ପରେ କଜିଆ ହେଲା। ଏଇ କଥାରୁ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ। ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ଥାନାରେ ଯାଇ ସହଯୋଗ ଲୋଡ଼ିଲି। ସେ କୁଆଡ଼େ ଯାଇଛନ୍ତି ଜାଣି ପାରୁନି କି, ୩ ଦିନ ହେବ ତାଙ୍କ ସହିତ କଥାବାର୍ତ୍ତା କରିପାରିନାହିଁ।

ସଞ୍ଜୀବ ଥାନାରେ ଅଭିଯୋଗ ଫାଇଲ୍‌ କରିଥିବା କଥା ମଧ୍ୟ ଜଣେ ପଦସ୍ଥ ପୁଲିସ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି।

ସ୍ତ୍ରୀ’ଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ଖୁବ୍‌ ଶୀଘ୍ର ତାଙ୍କୁ ଫେରାଇ ଆଣିବେ ବୋଲି ପୁଲିସ ସଞ୍ଜୀବଙ୍କୁ ପ୍ରତିଶ୍ରୁତି ଦେଇଛି।

ad-week
Leave A Reply

Your email address will not be published.