ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ଜୟ ଶାହ ବୁଧବାର ଏସିଆ କପ୍ ସୂଚୀ ଘୋଷଣା କରିଛନ୍ତି। ୭ ଥରର ବିଜେତା ଭାରତ ତା’ର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ସେପ୍ଟେମ୍ବର ୨ରେ କାଣ୍ଡିରେ ଖେଳାଯିବ। ସେପ୍ଟେମ୍ବର ୪ରେ ନେପାଳକୁ ଭେଟିବ। ଏହି ୬ ରାଷ୍ଟ୍ରୀୟ ପ୍ରତିଯୋଗିତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଶ୍ରୀଲଙ୍କା ଓ ପାକିସ୍ତାନରେ ଖେଳାଯିବ। ଅଗଷ୍ଟ ୩୦ ଉଦ୍ଘାଟନୀ ଦିବସରେ ପାକିସ୍ତାନ ଓ ନେପାଳ ମୁଲତାନରେ ମୁହାଁମୁହିଁ ହେବେ। ଏହି ପ୍ରତିଯୋଗିତାରେ ମୋଟ ୧୩ ମ୍ୟାଚ୍ ଖେଳାଯିବ।
ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ୨ଟି ଗ୍ରୁପ୍ରେ ରଖାଯାଇଛି। ଗ୍ରୁପ୍-ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ଏବଂ ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫ୍ଗାନିସ୍ତାନ ରହିଛନ୍ତି। ଉଭୟ ଗ୍ରୁପ୍ର ଦୁଇ ଶୀର୍ଷ ଦଳ ସୁପର-୪କୁ ଯିବେ। ପରସ୍ପର ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ଶୀର୍ଷ ଦୁଇ ଦଳ ଟ୍ରଫି ଲଢ଼େଇରେ ଭାଗନେବେ। ଶ୍ରୀଲଙ୍କାର କାଣ୍ଡିରେ ୩ଟି ଲିଗ୍ ମ୍ୟାଚ୍ ଏବଂ ପାକିସ୍ତାନର ମୁଲତାନରେ ଗୋଟିଏ ଏବଂ ଲାହୋରରେ ୨ଟି ମ୍ୟାଚ୍ ଖେଳାଯିବ। ସୁପର-୪ର ଗୋଟିଏ ମ୍ୟାଚ୍ ଲାହୋରରେ ଏବଂ ଅନ୍ୟ ସମସ୍ତ ମ୍ୟାଚ୍ ସହ ଫାଇନାଲ୍ କଲମ୍ବୋରେ ଖେଳାଯିବ।
