ମଣିପୁରରେ ମହିଳାଙ୍କୁ ନିର୍ଯାତନାର ଏକାଧିକ ଲୋମହର୍ଷଣକାରୀ ଘଟଣା

Independence

ଇମ୍ଫାଲ : ମଣିପୁରରେ ଦୁଇ ଯୁବତୀଙ୍କୁ ଉଲଗ୍ନ କରି ସର୍ବ ସମ୍ମୁଖରେ ବୁଲାଇବା ଏବଂ ନିର୍ଯାତନା ଦେବା ଭିଡିଓ ଭାଇରାଲକୁ ନେଇ ସବୁଠି ନିନ୍ଦା କରାଯାଉଛି। ଏପରି ଘଟଣା ଦେଶ ପାଇଁ ଲଜ୍ଜାକର ବୋଲି କୁହାଯାଉ ଥିବାବେଳେ ସେହି ମଣିପୁରରୁ ଆସିଛି ଚାଞ୍ଚଲ୍ୟକର ଖବର। ସେଠାରେ କେବଳ ଗୋଟିଏ ନୁହଁ ଏହିପରି ଏକାଧିକ ଲୋମହର୍ଷଣକାରୀ ଘଟଣା ଘଟିଥିବା ରିପୋର୍ଟ କହୁଛି।
ମେ’ ୪ ରେ ଦଙ୍ଗା ହେବା ପରଠୁ ୧୫ ତାରିଖ ମଧ୍ୟରେ ରାଜ୍ୟର କୁକି ସମ୍ପ୍ରଦାୟର ମହିଳାଙ୍କୁ ଯୌନ ନିର୍ଯାତନା, ଦୁଷ୍କର୍ମ ଏବଂ ହତ୍ୟା ଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜୁନ୍ ୧୨ରେ ଦାଖଲ ହୋଇଥିବା ଅଭିଯୋଗରେ ସବିଶେଷ ତଥ୍ୟ ଜାତୀୟ ମହିଳା ଆୟୋଗ(NCW) କୁ ପଠାଯାଇଛି। ଅଭିଯୋଗ ଅନୁଯାୟୀ, ମେ’ ୪ରେ କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ମଣିପୁରର କାଙ୍ଗପୋକପି ଜିଲ୍ଲାର ଏକ ଗାଁର ଏହି ଦୁଇ ମହିଳାଙ୍କୁ ମଧ୍ୟ ମେତେଇ ସମ୍ପ୍ରଦାୟ ଲୁଟ୍ କରିବା ପରେ ଉଲଗ୍ନ କରି ପିଟିପିଟି ହତ୍ୟା କରିଥିଲେ।
ଏହି ଅଭିଯୋଗରେ ମହିଳାମାନେ ସର୍ବସାଧାରଣରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦର୍ଶାଯାଇଛି। ଏ ସମ୍ପର୍କରେ ଅଭିଯୋଗ ଦାଖଲ ହୋଇଥିବାବେଳେ ଉଭୟ ମହିଳାଙ୍କୁ ଏକ ରିଲିଫ କ୍ୟାମ୍ପରେ ରଖାଯାଇଥିଲା। ମେ’ ୪ରେ ହୋଇଥିବା ଘଟଣା, ଯାହାର ଭିଡିଓ ଜୁଲାଇ ୧୯ରେ ଭାଇରାଲ୍ ହୋଇଥିଲା, ଏଥିରେ ଜଣେ ନର୍ସିଂ ପ୍ରତିଷ୍ଠାନର ୨୨ ବର୍ଷୀୟ କୁକି ମହିଳା ଏବଂ ତାଙ୍କ ବନ୍ଧୁଙ୍କୁ ୪୦ ଜଣ ମେତେଇଙ୍କ ଦ୍ୱାରା ଉଲଗ୍ନ କରାଯାଇ ରାସ୍ତାରେ ବୁଲା ଯାଇଥିଲା।
ମେ’ ୫ରେ ଥାନାରେ ଅଭିଯୋଗ ହୋଇଥିବାବେଳେ ସେହି ଦିନ କାଙ୍ଗପୋକି ଜିଲ୍ଲାର ଏକ ଗ୍ରାମର ଦୁଇ ଜଣ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଇମ୍ଫାଲର କୋନୁଙ୍ଗ ମାମାଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଅଭିଯୋଗର ସବିଶେଷ ତଥ୍ୟ ଅନୁଯାୟୀ ମେତେଇ ସମ୍ପ୍ରଦାୟର ଦୁଷ୍କର୍ମକାରୀମାନେ ଦୁଇ ମହିଳାଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଏକ ବନ୍ଦ କୋଠରୀ ଭିତରେ ଦୁଷ୍କର୍ମ କରିଥିଲେ। କୋଠରୀ ଖୋଲିବା ପରେ ଦୁଇଜଣ ମହିଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଯୌନ ନିର୍ଯାତନା କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି।
ସେମାନଙ୍କ ମୃତଦେହକୁ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏହା ପରେ, ମେ ୧୫ରେ ଜଣେ ୧୮ ବର୍ଷୀୟ ଝିଅକୁ ଇମ୍ଫାଲର ଏକ ଅଞ୍ଚଳରୁ ମେତେଇଙ୍କ ଦ୍ୱାରା ଅପହରଣ କରାଯାଇଥିଲା। ଏହାକୁ ବିରୋଧ କରିବା ପରେ ପୁରୁଷମାନେ ମହିଳାଙ୍କୁ ଖଣ୍ଡ ଖଣ୍ଡ କରିଦେବାକୁ ଧମକ ଦେଇଥିଲେ। ସେମାନେ ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ। ନାଗାଲାଣ୍ଡର କୋହିମାସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ମେ’ ୩ରେ ମଣିପୁରରେ ଜାତିଗତ ହିଂସା ଆରମ୍ଭ ହେବା ପରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଥିଲେ। ରାଜ୍ୟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ ମେତେଇ ଜାତିର ଏବଂ ସେମାନେ ଇମ୍ଫାଲ୍ ଉପତ୍ୟକାରେ ବାସ କରନ୍ତି। ନାଗା ଏବଂ କୁକି ଅନ୍ତର୍ଭୁକ୍ତ ଆଦିବାସୀମାନେ ୪୦ ପ୍ରତିଶତ ଏବଂ ଅଧିକାଂଶ ପାହାଡ଼ି ଜିଲ୍ଲାରେ ରୁହନ୍ତି।

ad-week
Leave A Reply

Your email address will not be published.