ଶ୍ରୀନଗରରେ ଧାରୁଆ ଅସ୍ତ୍ର ବିକ୍ରି ନିଷିଦ୍ଧ…

add-all

ଶ୍ରୀନଗର : ଶ୍ରୀନଗରରେ ଆଜିକାଲି ଛୁରାମାଡ଼ ଘଟଣା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଶୁକ୍ରବାର କୌଣସି ପ୍ରକାର ଧାରୁଆ ଅସ୍ତ୍ରର କିଣାବିକା ଓ ସର୍ବସାଧାରଣ ସ୍ଥାନକୁ ନେବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ମହମ୍ମଦ ଆଇଜାଜ ଆସାଦ ଏହି ଘୋଷଣା କରିଛନ୍ତି। ନିକଟରେ କାମାରୱାଡ଼ି, ବେମିନା, କ୍ରାଲପୋରା, ବାଟମାଲୁ, ନୌହାଟ୍ଟା, କୋଠିବାଗ ପ୍ରଭୃତି ସ୍ଥାନରେ ଛୁରାମାଡ଼ ଘଟଣା ଘଟିଥିଲା। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଧାରୁଆ ଅସ୍ତ୍ରର କିଣାବିକା ଓ ପରିବହନକୁ ନିଷିଦ୍ଧ କରିଛନ୍ତି।
ଶ୍ରୀନଗର ଜିଲ୍ଲାରେ କୌଣସି ଲୋକ ଧାରୁଆ ଅସ୍ତ୍ର ସାଙ୍ଗରେ ନେଇ ସର୍ବସାଧାରଣ ସ୍ଥାନକୁ ଯାଇପାରିବେ ନାହିଁ ବୋଲି ଏହି ଆଦେଶନାମାରେ କୁହାଯାଇଛି। ଧାରୁଆ ଅସ୍ତ୍ର ରଖିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। କେବଳ ଘରୋଇ, କୃଷି, ବିଜ୍ଞାନ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା ଅସ୍ତ୍ର ଛଡ଼ା ୯ ଇଞ୍ଚରୁ ଅଧିକ ଲମ୍ବା ଓ ୨ ଇଞ୍ଚରୁ ଅଧିକ ଚଉଡ଼ା ଧାରୁଆ ଅସ୍ତ୍ର ରଖିବା ଅସ୍ତ୍ରଶସ୍ତ୍ର ଆଇନ ୧୯୫୯ ଅନୁସାରେ ଧର୍ତ୍ତବ୍ୟ ଅପରାଧ ବୋଲି ଆଦେଶନାମାରେ କୁହାଯାଇଛି। ଆଦେଶନାମାକୁ ତତ୍କାଳ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଯେଉଁମାନେ ଏପରି ଅସ୍ତ୍ର ରଖିଛନ୍ତି ସେମାନେ ତାହା ୭୨ ଘଣ୍ଟା ଭିତରେ ନିକଟସ୍ଥ ଥାନାରେ ଜମା ଦେବାକୁ ଆଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.