ପୁଣି ବିପଦ ସଙ୍କେତ ଡେଇଁଲା ଯମୁନା, ଦିଲ୍ଲୀକୁ ବିପଦ

add-all

ନୂଆଦିଲ୍ଲୀ: ପୁଣିଥରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ହରିଆଣାର ହାତନିଖୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ଛଡ଼ା ଯିବା ପରେ ଯମୁନା ଫୁଲିବା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୬.୨୬ ମିଟର ରହିଛି। ଏହା ସନ୍ଧ୍ୟା ସୁଦ୍ଧା ୨୦୬.୭୦ ମିଟର ଛୁଇଁବାର ଆଶଙ୍କା ରହିଛି। ହରିଆଣା ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ ଜଳ ଛଡ଼ା ଯିବାରୁ ଦିଲ୍ଲୀ ପ୍ରତି ପୁଣି ବନ୍ୟା ବିପଦ ଦେଖାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି। ସେହିପରି ଏବେ ଦିଲ୍ଲୀରେ ମଧ୍ୟ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି।
ଗତଥର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଡେଇଁବାରୁ ସହର ଭିତରେ ପାଣି ପଶିଥିଲା। ରାଜଘାଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଗେଟ୍‌ ଯାଏ ଯମୁନା ନଦୀର ଜଳ ପହଞ୍ଚିବାରୁ ନାନା ପ୍ରକାରର ସମସ୍ୟା ସୃଷ୍ଟି ହୋଇଥିଲା। ବନ୍ୟା ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ବି କରାଯାଇଥିଲା।
ଏବେ ପୁଣି ଯମୁନା ଫୁଲୁ ଥିବାରୁ ଦିଲ୍ଲୀ ପ୍ରତି ବିପଦ ସୃଷ୍ଟି ହୋଇଛି। କିନ୍ତୁ ଏଥର ଦିଲ୍ଲୀ ସରକାର ଆଗୁଆ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ହିମାଚଳରେ ପ୍ରବଳ ବର୍ଷା ହେଉଥିବାରୁ ହରିଆଣାର ବ୍ୟାରେଜକୁ ଜଳ ପ୍ରବେଶ କରିବା ଆରମ୍ଭ କରିଛି। ତେଣୁ ବ୍ୟାରେଜ କର୍ତ୍ତୃପକ୍ଷ ଏବେ ଏହାର ରିଲିଜ୍‌ କରିବା ଆରମ୍ଭ କରିଛନ୍ତି।
ବନ୍ୟା ଜଳ ରିଲିଜ୍‌ କରାଯାଉଥିବାରୁ ଦିଲ୍ଲୀରେ ବନ୍ୟା ଆଶଙ୍କା ପ୍ରକାଶ ପାଇଛି। ଜଳସ୍ତର ୨୦୬.୭ ମିଟର ଅତିକ୍ରମ କଲେ ଯମୁନା ଖାଦରରେ କିଛି ଅଂଶରେ ବନ୍ୟା ପରିସ୍ଥିତି ଦେଖାଯିବ। ଏଥିପାଇଁ ସରକାର ରିଲିଫ କ୍ୟାମ୍ପ ପ୍ରତିଷ୍ଠା କରିବା ଉକ୍ତ ଅଞ୍ଚଳରେ ବନ୍ୟାକୁ ନେଇ ନିୟମିତ ସତର୍କ ସୂଚନା ଜାରି କରାଯାଉଛି।
ଆତିଶୀ କହିଛନ୍ତି, “ ଅରବିନ୍ଦ କେଜ୍ରିୱାଲ ସରକାର ପୂରା ଘଟଣା ଉପରେ ନଜର ରଖିଛନ୍ତି। ରାଜସ୍ୱ ବିଭାଗ ବେଶ ପ୍ରଭାବୀ ଭାବେ ସ୍ଥିତିର ମୁକାବିଲା କରିବାକୁ ପଦକ୍ଷେପ ନେଇଛି। କେନ୍ଦ୍ରୀୟ, ପୂର୍ବ ଜିଲ୍ଲା କିମ୍ବା ଯମୁନା ବଜାର କିମ୍ବା ଯମୁନା ଖାଦର, ଯେଉଁଠି ବି ବନ୍ୟା ପରିସ୍ଥିତି ଦେଖାଯିବ ତା’ର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ହୋଇ ରହିଛୁ।”
ଆଜି ଅପରାହ୍ନରେ ମନ୍ତ୍ରୀ ସୌରଭ ଭରଦ୍ୱାଜ ୱାଜିରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଟକୁ ଯାଇ ସ୍ଥିତି ପରଖିଛନ୍ତି। ସପ୍ତାହକ ତଳେ ବନ୍ୟା ଯୋଗୁ ଏହା ପ୍ରଭାବିତ ହୋଇଥିଲେ। ତେଣୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।

ad-week
Leave A Reply

Your email address will not be published.