୪୬ ହଜାର ବର୍ଷର ବରଫାୟିତ କୃମିକୁ ପୁନରୁଜ୍ଜୀବିତ କଲେ ବୈଜ୍ଞାନିକ

add-all

ୱାସିଂଟନ: ୪୬,୦୦୦ ବର୍ଷ ତଳେ ବରଫ ଭିତରେ ରହିଥିବା ଏକ ଗୋଲକୃମିକୁ ବୈଜ୍ଞାନିକମାନେ ଜୀବନ୍ତ କରିତୋଳିଛନ୍ତି। ଅଜ୍ଞାତ ପ୍ରଜାତିର ଏହି କୃମି ସାଇବେରିଆ ଶୀତଳମରୁର ସ୍ଥାୟୀ ବରଫ ଭିତରେ ୪୦ ମିଟର (୧୩୧.୨ ଫୁଟ୍) ତଳେ ଥିଲା।

କୃମିଟି ନିଷ୍କ୍ରିୟ ଅବସ୍ଥାରେ ଥିଲା, ଯେଉଁ ଅବସ୍ଥାକୁ ବୈଜ୍ଞାନିକ ଭାଷାରେ କୁହାଯାଏ କ୍ରିପ୍ଟୋବାୟୋସିସ୍। ଡ୍ରେସ୍‌ଡେନସ୍ଥିତ ଆଣବିକ କୋଷ ଜୈବବିଜ୍ଞାନ ଓ ଜେନେଟିକ୍ସର ମାକ୍ସ ପ୍ଲାଙ୍କ ପ୍ରତିଷ୍ଠାନର ‌ଏମେରିଟସ ପ୍ରଫେସର ତଥା ଏହି ଗବେଷଣାରେ ସମ୍ପୃକ୍ତ ଅନ୍ୟତମ ଗବେଷକ ଟେମୁରାସ କୁର୍ଜଚାଲିଆ ଏହି ସୂଚନା ପ୍ରଦାନ କରିଛନ୍ତି। କୁର୍ଜଚାଲିଆଙ୍କ କହିବା ଅନୁସାରେ କ୍ରିପ୍ଟୋବାୟୋଟିକ୍ ଅବସ୍ଥାରେ ଥିବା କ୍ଷୁଦ୍ରଜୀବ ଜଳ ବା ଅମ୍ଳଜାନର ସମ୍ପୂର୍ଣ୍ଣ ଅନୁପସ୍ଥିତି ସହ୍ୟ କରିପାରନ୍ତି। ଏମାନେ ଅତ୍ୟଧିକ ଉତ୍ତାପ, ଅତ୍ୟଧିକ ଶୀତଳତା ଓ ଅତ୍ୟଧିକ ଲୁଣିଆ ଅବସ୍ଥାକୁ ସହ୍ୟ କରିପାରନ୍ତି। ଜୀବନ ଓ ମୃତ୍ୟୁର ମଝି ଅବସ୍ଥାରେ ସେମାନେ ରହନ୍ତି। ସେମାନଙ୍କ ମେଟାବୋଲିକ ହାର ପ୍ରାୟ ଶୂନ୍ୟ ଅବସ୍ଥାକୁ ଚାଲିଯାଇଥାଏ। ଅର୍ଥାତ୍ ଏହି ଅବସ୍ଥାରେ ଗୋଟିଏ କ୍ଷୁଦ୍ରଜୀବର ଜୀବନ ଅଟକିଯାଇଥାଏ ଏବଂ ଅନୁକୂଳ ପରିବେଶ ପାଇଲେ ତାହା ପୁଣି ନୂଆ କରି ଆରମ୍ଭ ହୋଇପାରେ। ପୂର୍ବରୁ ଏହିପରି ଯେଉଁ ନିଷ୍କ୍ରିୟ ଜୀବଙ୍କୁ ପୁନରୁଜ୍ଜୀବିତ କରାଯାଇଛି, ସେମାନେ ଅନେକ ସହସ୍ରାବ୍ଦୀ ନୁହେଁ ବରଂ ଅନେକ ଦଶନ୍ଧି ବଞ୍ଚିରହିଥିଲେ।

୫ ବର୍ଷ ତଳେ ରୁଷ୍‌ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିଓକେମିକାଲ ଆଣ୍ଡ୍ ବାୟୋଲୋଜିକାଲ ପ୍ରୋବ୍ଲେମ୍‌ସ ଇନ୍ ସଏଲ ସାଇନ୍ସେସ୍‌ର ବୈଜ୍ଞାନିକମାନେ ସାଇବେରିଆ ସ୍ଥାୟୀ ବରଫରୁ ଦୁଇଟି ଗୋଲକୃମି ପ୍ରଜାତି ପାଇଥିଲେ। ଜଣେ ଗବେଷକ ଆନାଷ୍ଟାସିଆ ସାଟିଲୋଭିଚ ଦୁଇଟି କୃମିକୁ ଜଳ ଦେଇ ରିହାଇଡ୍ରେଟ୍ କରିବା ପରେ ସେଗୁଡ଼ିକ ପୁନରୁଜ୍ଜୀବିତ ହୋଇଉଠିଥିଲେ। ତା’ପରେ ଅଧିକ ଗବେଷଣା ପାଇଁ ୧୦୦ଟି କୃମିକୁ ଜର୍ମାନୀସ୍ଥିତ ବିଜ୍ଞାନାଗାରକୁ ଅଣାଯାଇଥିଲା। ଏହି ନମୁନା ଭିତରେ ରହିଥିବା ଉଦ୍ଭିଜ୍ଜ ଉପାଦାନର ରେଡିଓକାର୍ବନ ବିଶ୍ଳେଷଣ କରାଯିବା ପରେ ତାହା ୪୫,୮୩୯ରୁ ୪୭,୭୬୯ ବର୍ଷ ମଧ୍ୟରେ ଅଣବରଫୀକୃତ ହୋଇ ନ ଥିବା ଜଣାପଡ଼ିଥିଲା। ଅର୍ଥାତ୍ ପୁନରୁଜ୍ଜୀବିତ ଉକ୍ତ କୃମି ଦୁଇଟିର ବୟସ ପ୍ରାୟ ୪୬,୦୦୦ ବର୍ଷ ହେବ। ଏହାର ପ୍ରଜାତି କ’ଣ ଜଣା ନ ଥିବାରୁ ବୈଜ୍ଞାନିକମାନେ ଏହାକୁ ଏକ ନୂଆ ପ୍ରଜାତି କହି ତାହାର ନାମ ଦେଇଛନ୍ତି ପାନାଗ୍ରୋଲେମସ କୋଲିମେନିସ।

ad-week
Leave A Reply

Your email address will not be published.