ସାମାନ୍ୟ ଝଗଡ଼ାରୁ ପତ୍ନୀଙ୍କୁ ମାରି ଦେଲେ କଂଗ୍ରେସ ନେତା

add-all

ତେଲେଙ୍ଗାନା : ତେଲେଙ୍ଗାନର ଜଣେ ସ୍ଥାନୀୟ କଂଗ୍ରେସ ନେତା ଅତ୍ୟନ୍ତ ନିର୍ମମ ଭାବେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ହାଇଦ୍ରାବାଦରେ ଉଭୟ ସ୍ୱାମୀସ୍ତ୍ରୀ ରହୁଥିବା ବେଳେ ସାମାନ୍ୟ ଝଗଡ଼ାରୁ କଂଗ୍ରେସ ନେତା ଜଣଙ୍କ ଏତେ ବଡ଼ କାଣ୍ଡ ଘଟାଇଥିଲେ। ପ୍ରମାଣକୁ ବି ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍‌ ଘଟଣାର ତଦନ୍ତ କରି ଉକ୍ତ ସ୍ଥାନୀୟ କଂଗ୍ରେସ ନେତାଙ୍କୁ ଗିରଫ କରିଛି।

ଅଭିଯୁକ୍ତ ସ୍ୱାମୀ ଜଣଙ୍କ ଜୁଲାଇ ୧୪ରେ ପତ୍ନୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଗୋଟିଏ ଘରୋଇ ହସ୍ପିଟାଲକୁ ନେଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏହି ସନ୍ଦେହଜନକ ମୃତ୍ୟୁର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଜୁଲାଇ ୨୬ରେ କଂଗ୍ରେସ ନେତା ବଲ୍ଲଭ ରେଡ୍ଡୀଙ୍କୁ ଗିରଫ କରିଛନ୍ତି। ୨୭ ବର୍ଷୀୟ ପତ୍ନୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପୁଲିସ୍‌ ବଲ୍ଲଭଙ୍କୁ ବାନ୍ଧିଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଜୁଲାଇ ୧୪ରେ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ବଲ୍ଲଭ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଥିଲେ। ଶେଷରେ ତାଙ୍କ ମୁଣ୍ଡକୁ ଘରର କାନ୍ଥ ଓ କବଟାରେ ପିଟି ଦେଇଥିଲେ।

ମୁଣ୍ଡକୁ ପିଟି ଦେବାରୁ ପ୍ରବଳ ରକ୍ତସ୍ରାବ ଯୋଗୁ ପତ୍ନୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହା ଦେଖି ବଲ୍ଲଭ ସଂପୂର୍ଣ୍ଣ ଡରି ଯାଇଥିଲେ। ସେ ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ମୁଣ୍ତରେ ଶକ୍ତ ଆଘାତ ଯୋଗୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୃତ ମହିଳାଙ୍କ ବାପା ମଧ୍ୟ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ମହିଳାଙ୍କ ତଳି ପେଟରେ ଆଘାତ ଲାଗିଥିଲା। ଏଥିସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ର ଦାଗ ରହିଥିଲା। ଏହାକୁ ଆଧାର କରି ପୁଲିସ୍‌ର ସନ୍ଦେହ ବଲ୍ଲଭଙ୍କ ଉପରକୁ ଯାଇଥିଲା। ପୁଲିସ ଓ ଫରେନ୍ସି ଟିମକୁ ନେଇ ବଲ୍ଲଭଙ୍କ ଘରେ ଯାଞ୍ଚ କରିଥିଲା।

ଏହି ସମୟରେ ସେ ପ୍ରମାଣ ନଷ୍ଟ କରିବା ପାଇଁ କାନ୍ଥ, ଚଟାଣ ଓ କବାଟରେ ଲଗାଥିବା ରକ୍ତ ଛିଟାକୁ ଲିଭାଇ ଦେଇଥିବା ଜଣାପଡ଼ିଥିଲା। ଶେଷରେ ପୁଲିସ୍‌ ୨୬ ତାରିଖରୁ ସବୁ ପ୍ରମାଣ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଏକାଠି କରି ବଲ୍ଲଭଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.