ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ

add-all

ଭୁବନେଶ୍ୱର: ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ରାତି ୧୦ଟା ୪୦ ମିନିଟରେ ସେ ଭୁବନେଶ୍ୱରରେ ପହଞ୍ଚିବେ ।  ଶନିବାର ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ ଅମିତ ଶାହ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ।

ଏହା ପରେ ଦଳୀୟ ବୈଠକ ଅନୁଷ୍ଠିତ ହେବ। ଦଳୀୟ ବୈଠକ ଶେଷ ପରେ ବିଜେପି ପାର୍ଟି ଅଫିସରେ ମଧ୍ୟାହ୍ନ ଭୋଜନ କରିବେ ଶାହ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରିବେ। ସଂନ୍ଧ୍ୟା ୬ଟାରେ ଅମିତ ଶାହ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନ ବନ୍ଦର ଲାଉଞ୍ଜରେ ବି ଦଳୀୟ କର୍ମୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ତେଜିଲା ରାଜନୀତି। ଦିଲ୍ଲୀ ବିଲ୍‌କୁ ବିଜେଡିର ସମର୍ଥନ ଓ ଅନାସ୍ଥାକୁ ବିରୋଧ ପରେ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ସେ ଆସୁଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ପରେ ବିଜେପି ଭୟଭିତ ହୋଇ ସେଟିଂରେ ଲାଗି ପଡିଥିବା ସେ କହିଛନ୍ତି। ତେବେ ବିଜେଡି ଓ ବିଜେପି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡିର ସୁଶାନ୍ତ ସିଂ କହିଛନ୍ତି, ଅମିତ ଶାହ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରୀ ଅଛନ୍ତି। ତେଣୁ ସେ କେତେବେଳେ ବି ଆସି ପାରନ୍ତି। ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଙ୍ଗକୁ ବିଜେଡିର ବି ମୁଖିଆ। ତେଣୁ ସେ ଯାହା ବି ନିଷ୍ପତ୍ତି ନେଇଛନ୍ତି ସେଥିରେ ଆଉ କେହି ହସ୍ତକ୍ଷେପ କରି ପାରିବେନି।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ବେଶ୍‌ ଉତ୍ସୁକ ଥିବା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ଓଡ଼ିଶା ପରିପ୍ରେକ୍ଷୀରେ ଆଲୋଚନା କମ୍‌ କଲେ ଭଲ ହେବ । ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଦଳ ଏପରି ପନ୍ଥା ଗ୍ରହଣ କରୁଛି। ହେଲେ ବିଜେପି ନିଜ ବାଟରେ ଅଛି। ବିଜେପି ନିଜ ନୀତି, ଆଦର୍ଶ, କାର୍ଯ୍ୟଧାରା ଉପରେ ଫୋକସ୍‌ କରୁଛି ।

ad-week
Leave A Reply

Your email address will not be published.